Unknown

 

 

 

 

 

 

 

 

 

 

ସାରଳା ମହାଭାରତ

ଶାନ୍ତିପର୍ବ

ଆଦିକବି ସାରଳା ଦାସ

 

ସୂଚୀପତ୍ର

ବିଷୟ

 

୧।

ପାଣ୍ଡବଙ୍କର ଭୀଷ୍ମଙ୍କ ନିକଟକୁ ଗମନ ଓ ନୀତିବାକ୍ୟ ଶ୍ରବଣ

୨।

ଦୁର୍ଯୋଧନାଦି ଓ ଭୀଷ୍ମଙ୍କର ପିଣ୍ଡଦାହ

୩।

ଯୁଧିଷ୍ଟିରଙ୍କର ରାଜ୍ୟାଭିଷେକ

୪।

ଦୁର୍ବାସା ଋଷି କୃଷ୍ଣଙ୍କ ମାୟା ଦର୍ଶନ କରି ବ୍ରହ୍ମାଙ୍କୁ ଜଣାଇବା ଓ କୋଣାର୍କ ତୀର୍ଥ ମାହାତ୍ମ୍ୟ ବର୍ଣ୍ଣନ

 

ପାଣ୍ଡବଙ୍କର ଭୀଷ୍ମଙ୍କ ନିକଟକୁ ଗମନ

ନୀତିବାକ୍ୟ ଶ୍ରବଣ

 

ୟେଥୁ ଅନନ୍ତରେ ବଇବସୁତ ମନୁରାଜା

ଅଗସ୍ତିଂକ ପାଦତଳେ କଲେକ ଦିବ୍ୟପୂଜା।୧।

ଭୋ ମୁନି ଅଗସ୍ତି ତୁମ୍ଭେ ଅଟ ବ୍ରହ୍ମବେତ୍ତା

କହିବା ସାବଧାନେ ଶାନ୍ତିପର୍ବର ବାରତା।୨।

ୟେଥୁ ଉତ୍ତାରେ କିସ ହୋଇଲା ବ୍ରହ୍ମଯତି

ମୁଖୁଂ ଶୁଣି ମୁହିଂ ହୋଇବି ମୁକୁତି।୩।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଶ୍ରୀକୃଷ୍ଣ ସହିତେ ପାଣ୍ଡବ ପାଞ୍ଚମୃତ୍ତି।୪।

ୟେଥୁ ଅନନ୍ତରେ ବଦୟନ୍ତି ଜନାର୍ଦ୍ଦନ

ଅବିଷେକ ସଞ୍ଚା ଦେବ କରିବା ବିଧାନ।୫।

ବଦୟନ୍ତି ଯୁଝେଷ୍ଠି ଶୁଣିମା ଦେବ ହରି

ଭୀଷ୍ମଂକୁ କହିଲେ ସେ ରାଜ୍ୟ କରିପାରି।୬।

ତହୁଂ ଯୁଝେଷ୍ଠି ଭୀଷ୍ମଂକ ତହିଂକି କରନ୍ତି ଗବନ

ସନ୍ୟ ସାଖା ନାହିଂ ତୁଲେଣ ସାତଜଣ।୭।

ଯହିଂ ଭୀଷ୍ମେ କରିଛନ୍ତି ଶରଶଯ୍ୟା

ସନ୍ନିଧ୍ୟେ ପ୍ରଳମ୍ୱିତ ହୋଇଲେ ଦେବରାଜା।୮।

ଚକ୍ଷୁ ବୁଜିଣ ଯେ ଥିଲେ ଦେବବ୍ରତ

ଯୁଝେଷ୍ଠିଂକି ଦେଖି ବିକାଶିଲେ ବେନି ନେତ୍ର।୯।

ଭୀଷ୍ମଦେବ ଚାହିଂଲେ ଯୁଝେଷ୍ଠିଂକ ମୁଖ

ନିକଣ୍ଟକ ରାଜ୍ୟ କର ୟେବେ ତୋହୋର ସୁଖ।୧୦।

କିମ୍ପା ହୋ ଧର୍ମରାଜ ଅଇଲୁ ମୋର ପାଶ

ବଦୟନ୍ତି ପାଣ୍ଡବ ଶୁଣ କୁରୁକୁଳ ମୁଖ୍ୟ ଯେ ପୁରୁଷ।୧୧।

ଆମ୍ଭର ହିତେ ତୁମ୍ଭେ ତେଜିଲ ଜୀବନ

ସମ୍ମୁଖେ ଯୁଝିଲେ ତୋତେ କେହୁ ଜିଣିମ ରଣ।୧୨।

ଆମ୍ଭନ୍ତ ତୁମ୍ଭର ଦୟା ସର୍ବଦା ଗାଙ୍ଗେବ

ପ୍ରଥମ ଦିନ ଯାହା ପ୍ରକାଶିଲ ସଦିଭାବ।୧୩।

ବୋଇଲ ଯେ ଶତ୍ରୁ ମାରି ପଞ୍ଚୁ କଟକେ ହୁଅ ନରନାଥ

ମହତ୍ତ୍ୱଂକ ବଚନ କି ହୋଇବ ଅନ୍ୟକୃତ।୧୪।

ୟେ ବଚନ ଶୁଣି ଆଗ୍ୟାଂ ଦିଲେ ଗଙ୍ଗାସୁତ

ନିକଣ୍ଟକେ ରାଜ୍ୟ ତୁମ୍ଭେ କର ଧର୍ମସୁତ।୧୫।

ଶ୍ରୀକୃଷ୍ଣ ବଚନେ ତୋତେ କିଛି ଭୟେ ନାହିଂ

ଧୃତିରାଷ୍ଟ ପୁତ୍ରେ ଯେବେ ହୋଇଲେ ନିଧନହିଂ।୧୬।

ରାଜ୍ୟ କର ୟେବେ ବାବୁ ଧର୍ମ ପ୍ରତିପାଳି

ଅଧର୍ମ କ୍ଷଣେହେଂ ନସହିବଟି ମହୀଆଳୀ।୧୭।

ପରଜା ପାଳିବୁ କେହି ନୋହିବଟି ଦୁଖୀ

ପ୍ରଜାଂକ ରକ୍ଷଣେ ସିନା ରାଜା ହୋୟେ ସୁଖୀ।୧୮।

ନ୍ୟାୟେ ପ୍ରଜାନ୍ତ ପାଳିଲେ ଇନ୍ଦ୍ର କରେ ବୃଷ୍ଟି

ରାଜ୍ୟ ପ୍ରତିପାଳିଲେ ପରଜାଂକୁ ପଡ଼ଇ ଅରିଷ୍ଟି।୧୯।

ପ୍ରଜା ପ୍ରତିପାଳନଟି ରାଜାର ସର୍ବବିଧି

ପରଜା ଅତୁଟ ହୋଇଲେ ରାଜାକୁ ହୋଅଇ ସକଳ ସିଦ୍ଧି।୨୦।

ରାଜ୍ୟଦଣ୍ଡ ବରଗିବୁ ଧାର୍ମିକ ଲୋକ ଦେଖି

ତେବେ ସେ ଜନ ପରଜା ହୋଇବେ ବଡ ସୁଖୀ।୨୧।

ଚାର ବରଗି ଦେଖିବୁ ବିଧି ଯେ ଅବିଧି

ଦଣ୍ଡ ଅବିଧି କଲେ ତୁ ପକାଇବୁଟି ଛେଦି।୨୨।

ଅନୀତି ବ୍ୟାପାରେ ଦଣ୍ଡିଲେ ଯେ ନାହିଂ ଦୋଷ

ଦୋଷ ଜାଣିଣ ଶାସ୍ତିଦେବୁ ତୁ ପଣ୍ଡୁ ଶିଷ।୨୩।

କୋଡ଼ିୟେ ହାଥ ତୁହି କରିବୁ ନଳକାଠି

ପଞ୍ଚବିଂଶ ନଳରେ ମାଣେକ ପ୍ରକଟି

ବିଂଶ ମାଣରେ ଯେ କରିବୁ ୟେକ ବାଟି।୨୪।

ବାଟିକେ ଚିନାୟେ କରି ଘେନିଥିବୁ ସଞ୍ଜା

ଆମ୍ଭର ଆୟୁଷ ଘେନି ବ୍ରତିଥିବୁ ରାଜା।୨୫।

ଠାବେ ଠାବେ ରାଜା ଯେ କରିବୁ ଜଳକୀର୍ତ୍ତି

ଇନ୍ଦ୍ର ବୃଷ୍ଟି ନକଲେ କ୍ଷେତ ଯେହ୍ନେ ବ୍ରତୀ।୨୬।

ଅଳପ ଦୋଷକୁ ବାବୁ ନକରିବୁ ରୋଷ

ନିରେଖ ଜନଂକୁ ଦେବୁ ପ୍ରାସାଦ ଗୃହବାସ।୨୭।

ବ୍ରାହ୍ମଣେ ଦାନଦେବୁ ନକରି କପଟ

ଶିବଆଳେ ଗୋଦୋହନ କରିବୁ ଧର୍ମଚାଟ।୨୮।

ନଦୀମାନଂକରେ ଶଙ୍ଖ ଆବର ନାବ ଥିବ

ଶୀତକାଳେ ଦକ୍ଷିଣ ମେଲା ତୋଳାଇବ।୨୯।

ଅନଳ ଦାନ ତହିଂ ଦେବ ଠାବେ ଠାବେ

ପଥଶ୍ରାନ୍ତ ଜନେ ଯେହ୍ନେ କ୍ଳେଶ ନ ପାଇବେ।୩୦।

ଗ୍ରୀଷ୍ମକାଳେ ଦେବୁଟି ପାଣି ପଣା ଦାନ

ଛତା ପାଣ୍ଡୋଇ ଶୀତଳ ସଞ୍ଚା ନାନା ବସ୍ରମାନ।୩୧।

ପଥଶ୍ରାନ୍ତ ଲୋକେ ଯେବେ ସୁସ୍ଥହିଂ ପାଇବେ

ନୃପତିମାନଂକୁ ସେ କଲ୍ୟାଣ ବାଞ୍ଛିବେ।୩୨।

ତାହାଂକର ସନ୍ତୋଷରେ ରାଜାର ଶୁଭକାର୍ଯ୍ୟ

ୟେବା ବିଚାରି କାର୍ଯ୍ୟ କରିବୁ ଧର୍ମରାଜ।୩୩।

ପ୍ରଜା ମୁଖେ ଯେବେଳେ ଉପୁଜଇ ସାଧୁ ଧୁନି

ଯମ ତାହାକୁ ଦଣ୍ଡି ନୁଆରଇ କାଳପାଶ ଘେନି।୩୪।

ଭାଇନ୍ତ ପେଷିବୁଟି ରାଜ୍ୟ ପରିକଳି

ଡଗର ମୁଖୁଂ ବାରତା ଶୁଣିମୁଂ ତିନି ଓଳି।୩୫।

ମଢଫୁଲି ନିଯୋଗ ବିଶ୍ୱାସ ଲୋକ ହାଥେ ଦେବୁ

ସେ ଲୋକକୁ ଅଧିକାର ନ ଦେବୁ ନ ଦଣ୍ଡିବୁ।୩୬।

ଧନ ଚଉର୍ଯ୍ୟ ଦାରା ଅନ୍ୟାୟେ ଦଣ୍ଡତିନି

ଅପ୍ରାଧି ଜନେ କ୍ଷମାକରିବୁ ବୋଲନ୍ତି ଶାୟନ୍ତନୀ।୩୭।

ପାଞ୍ଚବରଷ ଘୋଡା ପଞ୍ଚାଶ ବରଷର ରାଉତ

ପଚିଶ ବରଷର ପାଦାନ୍ତି ସତର ବରଷ ଗଜମତ୍ତ।୩୮।

ସତର ବରଷର ଯେବେ ହୋଇଥିବ ଗଜ

ବଳିଷ୍ଠ ମାହୁନ୍ତ ତାକୁ କରୁଥିବ ସଜ।୩୯।

ଅଶ୍ୱ ଗଜ ପାଦାନ୍ତି ନିରତେ ସାଜିଥୁବୁ

ବେଳା ଅନୁସାରେ ଅବକାଶ ଯେ କରିବୁ।୪୦।

କଟୁଆଳେ ଅନୁବ୍ରତେ ଦେଉଥିବ ତେଜ

ପରରାଷ୍ଟ୍ରେ ନିଅଳସ ହୋଇଥିବ ମହାରାଜ।୪୧।

ପଣ୍ଡିତର ମୁଖୁଂ ଶୁଣୁଥିବୁ ପୁରାଣ ଯେ ପୋଥା

ସ୍ତିରୀ ଲିଙ୍ଗେ ବିଶ୍ୱାସ ନଯିବୁ ସର୍ବଥା।୪୨।

ଅସୁର ଭୋଗ ତୀର୍ଥେ ନ ବୁଡ଼ାଇବ କାୟେ

ଭଣ୍ଡାରେ ନିପ୍ରୋହି ତୁ ହୋଇଥିବୁ ମହାରାୟେ।୪୩।

ବଳବନ୍ତ ସାମନ୍ତଂକୁ ପ୍ରସାଦ ହିଂ ଦେବୁ

ଅନ୍ଧାରୀ ବିଜେ କାଳେ କାହାକଇଂ ବିଶ୍ୱାସ ନ ଯିବୁ।୪୪।

ପାରିଧିରେ ଯୋଗୀ ତୁହି ହୋଇଥିବୁ ରାଜା

ଦେବ ବିପ୍ରେ ନିତ୍ୟେହେଂ କରାଉଥିବୁ ପାଦ ପୂଜା।୪୫।

ଧାର୍ମିକେ କରାଉଥିବୁ ବ୍ରତରାଜ ୟେକାଦଶୀ

ବିଦେଶୀ ଲୋକନ୍ତ କଟକେ ନଦେବୁଟି ପଶି।୪୬।

ଯେ ଯାହା ଅନରୂପେ ବ୍ରତିବେ ସକଳ ବର୍ଗ

ବିଭା ସଂଦାରାୟେ ହୋଇଥିବୁଟି ପ୍ରସଙ୍ଗ।୪୭।

ଯାଗଯଗ୍ୟଂ ପ୍ରସଙ୍ଗେ ଯେ ଦେଉଥିବୁ ଆହୂତି

ଦଣ୍ଡବିହିବୁ ଯେ ଉପଗତ ଶତ୍ରୁ ପ୍ରତି।୪୮।

ଦୁଷ୍ଟଦାନବନ୍ତ ଯେ କରାଉଥିବୁ ନାଶ

ତହିଂକି ନୃପତିକି କିଛିହିଂ ନାହିଂ ଦୋଷ।୪୯।

ଗୁରୁଜନମାନଂକୁ କରୁଥିବୁଟି କାରଣ

ପରଦାରା ପରଧନ ନକରିବୁ ହରଣ।୫୦।

ମନ୍ତ୍ରୀବର ଗୋଚରେ ସମର୍ପିଥିବୁ ରାଜ୍ୟ

ଅଧିକାରୀ ଲୋକନ୍ତ କରିଥିବୁ ତେଜ।୫୧।

କୃଷିକାରୀ ଲୋକନ୍ତ ଯେ ନ ଦଣ୍ଡିବୁ ଧନ

ଅନେକ ବସାଇବୁ ଗୋଶାଳା ବ୍ରାହ୍ମଣ ଶାସନ।୫୨।

ବର୍ଦ୍ଧୁତ କରାଇବୁ ଗୋରସ ରସମାନ

ଗୋଚର ନିମନ୍ତେ ବାବୁ ଛାଡ଼ିଦେବୁ ବହୁସ୍ଥାନ।୫୩।

ତୀର୍ଥସ୍ଥାନମାନଂକେ ଅନ୍ନଛତ୍ର ଦେଉଥିବୁ ନୃପତି

ଅସହଣ ଭୂମିରେ ଥୋଇବୁ ସେନାପତି।୫୪।

ଗଜ ଅଶ୍ୱ ନିମନ୍ତେ ଦେଉଥିବୁ ଧନ

ଗୋପାଳେ ବିଶୋଇବାକୁ ଥୋଇଥିବୁ ସ୍ଥାନ।୫୫।

ଗୁଣ ଅନୁକ୍ରମେ କରୁଥିବୁ ପୂଜା

କବିକୃତ ଜନଂକୁ କୃପଣ ନୋହିବୁଟି ମହାରାଜା।୫୬।

ୟେ ବିଧିରେ ଅନେକ କହିଲେ ଭୀଷ୍ମ ରାଜା ବିଧିମାନ

ଶ୍ରୀକୃଷ୍ଣ ଯୁଝେଷ୍ଠିଂକର ଚାହିଂଲେ ବଦନ।୫୭।

ଭୀଷ୍ମେ ବୋଇଲେ ଭୋ କୃଷ୍ଣ ମୁଂ ତୋହୋରେ ଶରଣ

ୟେତେ କହି ଗାଙ୍ଗବେ ଛାଡ଼ିଲେ ନିଜପ୍ରାଣ।୫୮।

ପୁଷ୍ୟେକ ବିବାନେ ବସାଇନେଲେ ବିଷ୍ଣୁଗଣେ

ବଇକୁଣ୍ଠେ ପାଇଲେ ସେ କୃଷ୍ଣର ଦଶ୍ରନେ।୫୯।

ଜୟ ତୁ ଜଗନ୍ନାଥ ଜଗତ ଚିନ୍ତାମଣି

ସର୍ବଭୂତେ ଜଗନ୍ନାଥ ସକଳ ଗୁଣମଣି।୬୦।

ମହୀ ଭାରାଭର ନାଶ କରାଇଲୁ କୂଟେ

ଜଗତ ବନ୍ଧୁ ନାଥ ପ୍ରସାଦ ପାଇବି ବଇକୁଣ୍ଠେ।୬୧।

ନମାମି ଶ୍ରୀନାରାୟଣ ଶଙ୍ଖଚକ୍ର ଧାରଣ

ଜନ୍ମେ ଜନ୍ମେ ଅଭ୍ୟାସିଲି ଶ୍ରୀକୃଷ୍ଣ ଚରଣ।୬୨।

ଯାବତ ଜୀବ ଅଛି ତାବତହିଂ ହରି

ଭଗତ ଜନ ଉଦ୍ଧାରଣ ନାଥ ନାମ ନରହରି।୬୩।

ସଦା ଶିରୀ ଦେଇଣ ଯେ ନାମ ଶିରୀବତ୍ସ

ଶତ୍ରୁପଣେ ଯେ ଚିନ୍ତିଲା ସେ ହୋଇଲାକ ମୋକ୍ଷ।୬୪।

ଯେତେ ଜନମାନେ ପଡ଼ିଲେ ୟେ ରଣଭୂମି

ଶତ୍ରୁ ମିତ୍ର ହୋଉ ବା ସମସ୍ତେ ସ୍ୱର୍ଗଗାମୀ।୬୫।

ଆହେ ଚଇତନ ରୋଧିର ମାୟେଂସ କର୍ଦ୍ଦମ ଦ୍ୱାଦଶ ଯୋଜନ ଭୂମି

ବ୍ରାହ୍ମଣ ହୋଉ କି ଚାଣ୍ଡାଳ ହେଉ ମୃତୁ ପିଣ୍ଡେ ନବସିଲେ କୃମି।୬୬।

ତ୍ରଇଲୋକକୁ କାରେଣୀ ଶ୍ରୀକୃଷ୍ଣ ନାମ ଗୋଟି

ମମ ହୃଦେ ମାଳା ଗଣ୍ଡସ୍ଥଳେ ହେଉ କଣ୍ଠି।୬୭।

ସଦା ଆଲିଙ୍ଗନ କରଇ ଶତଶ୍ରିୟା

କମଳ ମାଳେକ ହୋଇ ବିଘଂସୁ ମୋର ହିୟା।୬୮।

ପ୍ରାଣ ଅପାନ ବ୍ୟାନ ଉଦାନ ସମାନ ପଞ୍ଚୁଆତ୍ମା

କୃଷ୍ଣହୁଂ ଆନ ଜନ ନ ଭାବୁଂ ମମ ଆତ୍ମା।୬୯।

ପ୍ରହରାଜ ବିଭୀଷେଣ ଅକ୍ରୂର ବଳୀ ଦକ୍ଷ

ଭଗତି ମନାଇ ବିଷ୍ଣୁଲୋକେ ବସିଲେ ପ୍ରତକ୍ଷ।୭୦।

ରକ୍ଷ ଭକ୍ଷ ହେତି ପ୍ରହେତି ମାଳି ଯେ ସୁମାଳି

ହିରଣ ହିରଣାକ୍ଷ ମଧୁ କଇଟଭ ମହାବଳୀ।୭୧।

ରାବଣ କୁମ୍ଭକର୍ଣ୍ଣ ଦନ୍ତବକ୍ର ଶିଶୁପାଳ

ୟେମାନେ ଶ୍ରୀକୃଷ୍ଣଂକୁ ମାରି ଲୋଡନ୍ତି ସର୍ବକାଳ।୭୨।

ବିଷ୍ଣୁର କଥାମାନ ସମସ୍ତେ କରନ୍ତି ତେଜ୍ୟା

କରନ୍ତି ଝିଂଘାସନ୍ତି ହରନ୍ତି ଭାରିଜା।୭୩।

କୃଷ୍ଣଂକୁ ମାରିବେ ବୋଲି କରି ଥାଆନ୍ତି ଲୟେ

ତେଣୁ କରି ସମସ୍ତେ ହୋଇଲେ ବିଷ୍ଣୁମୟେ।୭୪।

ଶ୍ରୀବାସୁଦେବଂକର ଚରଣ କମଳେ

ବଦୟନ୍ତି ସାରଳାଦାସ ତୁଳସୀମାଳା ମମ ବକ୍ଷସ୍ଥଳେ ଲୁଳେ।୭୫।

******

 

ଦୁର୍ଯ୍ୟୋଧନାଦି

ଭୀଷ୍ମଙ୍କର ପିଣ୍ଡଦାହ

 

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଶ୍ରୀକୃଷ୍ଣ ଦେଖିଣ ଭୀଷ୍ମ ଛାଡ଼ିଲେ ଜୀବତି।୧।

ଭୀଷ୍ମଂକୁ ତୋଷିଣ ଯେ ଯୁଝେଷ୍ଠି ଶ୍ରୀପତି

ଯାଇଣ ପ୍ରବେଶ ହୋଇଲେ ଗାନ୍ଧାରୀ ଧୃତିରାଷ୍ଟ କତି।୨।

ଗାନ୍ଧାରୀ ବୋଇଲେ ବାବୁ ଶୁଣ ଫାଲଗୁନି

ୟେ ପୁତ୍ରମାନେ କିରେ ପାଇବେ ବହନି।୩।

ଗାନ୍ଧାରୀ ବଚନ ଶୁଣି ସେ ପଞ୍ଚଇ ପାଣ୍ତବେ

ଅନଳେ ଦାହ ନେଇ କରନ୍ତି କଉରବେ।୪।

ଯୁଝେଷ୍ଠି ବୋଇଲେ ଦ୍ରିଯୋଧନକଇଂ ଆଣ ଯାଇ ବ୍ୟାସ ସରୋବର ତୀରୁଂ

ଭୀମସେନ ବହି ଆଣିଲା ଯାଇଂ କି ଜାଣି ଦିଶଇ ଗିରିମେରୁ।୫।

ସମସ୍ତ ମଡ଼ାମାନଂକୁ ଉପରେ ଶୁଆଇ

ଶତେଭ୍ରାଥ ମୂଳେ ଯେତେ ବନ୍ଧୁ ସୋଦର ହୋଇ।୬।

ଶ୍ରୀକୃଷ୍ଣ ବୋଇଲେ ୟେକା ବେଳେକେ ଦହନ ହୋନ୍ତୁ ୟେହି

ଦକ୍ଷିଣ ମୃତ୍ତି ହୋଇ ସଧୀରେ ବହଇ ପବନ

ଅଗ୍ନିବାଣେକ ଯେ ବିନ୍ଧିଲେ ଫାଲଗୁଣ୍ୟ।୭।

ପ୍ରଜ୍ୱଳିତ ଅଗ୍ନି ବିକାଶିଲା ମହାତେଜ

ଦ୍ୱାଦଶ ଯୋଜନ ଆକୃତି ହୋଇଲା ଦହିଜ।୮।

ସମସ୍ତ ମୃତୁପିଣ୍ଡମାନେ ହୋଇଲେ ଅଶ୍ୱମେଧ

ତହିଂକି ପଶୁ ମୃତୁଶବ ହୋଇଲା ମାନ ଯେ ଗୋବିନ୍ଦ।୯।

ଯେସନେକେ ବହନି ଘୃତ ଯେ ସଞ୍ଜାଳି

ଆକାଶେ ବ୍ୟାପିଲା ତେଜ ଯେ ଅନଳି (ଅନଳ) ।୧୦।

ବହନି ଦେଖି ପଚାରଇ ରାଜା ଧୃତିରାଷ୍ଟ

ବାବୁ ରାଜ୍ୟଭାର ସିଂଘାସନ ପାଳୁଥିବୁ ଯୁଝେଷ୍ଠି ତୁ ଜ୍ୟେଷ୍ଠ।୧୧।

ୟେ ପୁତ୍ରଂକ ଅଭାବେ ଆମ୍ଭେ ବ୍ରତିବୁ କିସ କରି

ବହନିରେ ପଶିବୁ ଆମ୍ଭେ ପୁତ୍ରନ୍ତ ସୁମରି।୧୨।

ଯୁଝେଷ୍ଠି ବୋଇଲେ ଶୁଣିମା ଭୋ ତାତମାତ

ମୋତେ ବିଘ୍ନ ତୁମ୍ଭେ ଚିନ୍ତିଲ ଅନୁବ୍ରତ।୧୩।

ୟେତେବେଳେ ତୁମ୍ଭର ନୋହିବ କି ଦୟେ

ମୁହିଂ ତୁମ୍ଭର କି ଯୁଗତେ ନୋହଇ ତନୟେ।୧୪।

ଧୃତିରାଷ୍ଟ ଗାନ୍ଧାରୀ ଯେ ବଚନ ଉଚ୍ଚାରି

ପାସୋରିଲୁ ପୁତ୍ରକଷ୍ଟ ତୋହୋର ବଚନେଣ କରି।୧୫।

ବାବୁ ପରମ କଲ୍ୟାଣ ତୁ ହୁଅସି ନୃପତି

ଆମ୍ଭେ ଆଇଷ୍ୟ ଘେନିଥାଅ ଶୁଭେ ବ୍ରତି।୧୬।

ରଖିଲି ମମ ଆତ୍ମା ବାବୁ ତୋହୋର ବଚନେ

ତୋହୋର ସମ୍ପଦ ମୁଂ ଦେଖଇ ନୟନେ।୧୭।

ଅନେକ ଦାନ ଯେ ଦେଇଣ ମହାରାଜ

ଦ୍ୱାଦଶ ଦିବସେ ସେ ସାରିଲେ ପିତୃ କାର୍ଯ୍ୟ।୧୮।

ମକର ମାସ ଶୁକ୍ଳପକ୍ଷ ଅଟେ ଚନ୍ଦ୍ରବାର

ଶତଭିଷା ନକ୍ଷତ୍ର ଅଟଇ ସେ ଦିନର।୧୯।

ତଇତିଳ ନାମେ କରଣ ବରୀୟାନ ଯୋଗ

ମାଘ ସଂକ୍ରାନ୍ତିକି ଯେ ପନ୍ଦର ଦିନ ଭୋଗ।୨୦।

ସେ ଦିନଠାରୁ ସମର ହୋଇଲା ପ୍ରଥମ

ଅଷ୍ଟାଦଶ ଦିନେ ଶେଷ ହୋଇଲା ସାଂଗ୍ରାମ।୨୧।

କୁମ୍ଭ କୃଷ୍ଣ ଚତୁର୍ଥୀରେ ଅଟେ ଶଉରି ବାର

ହସ୍ତାନକ୍ଷତ୍ର ହୋଇଛି ଭୋଗ ସେ ଦିନର।୨୨।

ସେ ଦିନ ଗଦା ସମର ହୋଇଲାକ ଶେଷ

ୟେ ବିଧିରେ ଗଲା ଊନବିଂଶତି ଦିବସ।୨୩।

ଅଶସ୍ତମା ଲାଗି ପାଞ୍ଚଦିନ ଗତ ହେଲା

ପ୍ରେତକୃତ୍ୟ ସାରିବାକୁ ବାର ଦିନ ଗଲା।୨୪।

କୁମ୍ଭ ଅନ୍ତେ ମୀନ ମାସ ହେଲା ଉପସ୍ଥିତ

କୁରୁପାଣ୍ଡବେ ଯୁଦ୍ଧରୁ ହୋଇଲେ ବିରତ।୨୫।

ଆହୋ ଚଇତନ ଶୁଣିମା ଦିବ୍ୟ ରୀତି

ୟେତେ ଦିବସ ହୋଇଲା ଭୀଷ୍ମେ ଅଦହନ ଅଛନ୍ତି।୨୬।

ମନୁଷ୍ୟ ଅସ୍ଥିମାନ ପୃଥୀରେ ପଡୁଅଛି

ମର୍ତ୍ତ୍ୟପୁରେ ୟେମନ୍ତ ଅପୋଡ଼ା ଭୂମି କାହିଂ ଅଛି।୨୭।

ନୀଳସୁନ୍ଦର ପର୍ବତେ ଅଛି ତିଳ ମନ୍ଦାର ସରି

ତହିଂରେ ବିଜୟେ କରିଅଛନ୍ତି ବାସେଳୀ।୨୮।

ମତ୍ସ୍ୟଦେଶ କାଶୀକ୍ଷେତ୍ର ତୀର୍ଥନଦୀ ତଟେ

ତହିଂର ନିକଟେ ବୃକ୍ଷେକ ଅଛଇ ବାଞ୍ଛାବଟେ।୨୯।

ଓଡରାଷ୍ଟ ମଣ୍ଡଳେ ଚିତ୍ରୋତ୍ପଳା ନଦୀକୂଳେ

ପାରେଶ୍ୱର ଭୂମି ଅଛି ଅପୋଡ଼ା ଭୂମିରେ।୩୦।

ଜମ୍ୱୁଦ୍ୱୀପ ମଧ୍ୟେ ପାଞ୍ଚଗୋଟି ଠାବ ଅଛି

ଆଉମାନେ ଦହନ ଭୂମିତ ଭୀଷ୍ମଦେବା ପୁଚ୍ଛି।୩୧।

ଚନ୍ଦ୍ରଦ୍ୱୀପ ଅଛି ମେରୁ ପଚ୍ଛିମ ପାରୁଶେ

ତହିଂ ନେଇ ଦହନ କରନ୍ତି ମନୁଷ୍ୟେ।୩୨।

ଯେତେବେଳେ ପ୍ରାଣିଂକି ଆବୋରି ବିଷ୍ଣୁଜ୍ୱର

ଜୀବ ଥାଉଂ ଥାଉଂ ସେ ମେଲନ୍ତି ସାହେର।୩୩।

ବଡବା ଅନଳ ତେଜେ ହୁଅଇ ସେ ଦହି

ଆଉମାନେ ଦହନ ଅଦହନ ସ୍ଥାନ ୟେହି।୩୪।

କରଞ୍ଜ ଦ୍ୱୀପେ ଠାବେକ ଯେ ଅଛି

କୁଶ ଦ୍ୱୀପରେ ଯେ ନାହିଂ ଜାଣ କିଛି।୩୫।

ପଦ୍ମଦ୍ୱୀପ ମଧ୍ୟେ ଯେ ଚଉବିଂଶ ଥାନ ଅଛି

ପାଣ୍ଡବ ଆଗେଣ ବିଶ୍ୱଦେବାୟେ ଯେ ପୁଚ୍ଛି।୩୬।

ଶୁଣିଣ ଯୁଝେଷ୍ଠି ଦେବ ମନେଣ ହରଷ

ଭୋ ଜଗନ୍ନାଥ ସ୍ୱାମୀ ୟେବେ କରିବାକ କିସ।୩୭।

କୁରୁ ପାଣ୍ଡବ ବଳ ହୋଇଲେ ଅବଶେଷ

ତୋହୋର ପ୍ରତଗ୍ୟାଂୟେ କରି ନାଶ କଲୁ ବଂଶ।୩୮।

ହରି, କଉରୋବଂକ ମୁଖ ନଚାହିଂବି ବୋଲି

ଚଉଦ ବରଷ ମୁଂ ଯେ ବନବାସ କଲି।୩୯।

ରାଗେଣ ବଦନ ଚାହିଂଲି ଯେତେବେଳେ

ଓହୋକୁଳ ବୁଡ଼ିଲା ଯେ ନାଶଗଲେ ସୟଳେ।୪୦।

ଭୀମସେନ ପ୍ରତଗ୍ୟାଂ କଲା ମାଇଲା ଶତେଭାଇ

ଅର୍ଜୁନ ପ୍ରତଗ୍ୟାଂ କଲା ମାଇଲା ଭୀଷ୍ମ ଦ୍ରୋଣ କର୍ଣ୍ଣକଇଂ।୪୧।

ନକୁଳ ପ୍ରତଗ୍ୟାଂ କଲା ଅନେକ କ୍ଷେତ୍ରୀ

ସହଦେବ ପ୍ରତଗ୍ୟାଂୟେ ମହାମନ୍ତ୍ରୀ ଶକୁନି ନିପାତି।୪୨।

ଆମ୍ଭେ ପ୍ରତଗ୍ୟାଂ କରି ଶଲ୍ୟଂକୁ କଲୁ ନାଶ

ହରି ପ୍ରତଗ୍ୟାଂ କରି ବୁଡ଼ାଇଲୁ ସୋମବଂଶ।୪୩।

ଧଉମ୍ୟ ପ୍ରୋହିତେ ଯେ ମଧ୍ୟ ପାତ୍ର ପଣେ ଗଲେ

ଗ୍ରାମ ମାଗନ୍ତେ କଉରୋବେ ଉପହାସ୍ୟ କଲେ।୪୪।

ଧଉମ୍ୟ ପ୍ରୋହିତେ ବୋଇଲେ ପ୍ରତଗ୍ୟାଂ କଲେ ଯେତେ

କ୍ରିୟା କରିବାକୁ ପୁଣ ଅବସର ନାହିଂ ମୋତେ।୪୫।

ଧଉମ୍ୟ ପୁରୋହିତଂକ ପ୍ରତଗ୍ୟାଂ ତ ହେଉଛି ଅବିଧି

ତୁମ୍ଭର କ୍ରିୟାରୁ ତ ହେଉଅଛି ସର୍ବସିଦ୍ଧି।୪୬।

ଯୁଝେଷ୍ଠିଂକ ବଚନେ ସେ ଧଉମ୍ୟ ପୁରୋହିତେ

ସମସ୍ତଂକ ପ୍ରେତକ୍ରିୟା ଘେନିଲେ ବିଧିମତେ।୪୭।

ପାର କଲେ ପାଣ୍ଡବ ପ୍ରତଗ୍ୟାଂ ସମସ୍ତ

ତୁମ୍ଭର ପ୍ରାସାଦେ ସିନା ୟେହାଟି ଯଦୁନାଥ।୪୮।

ନାମ ଯେ ଧରେ ତୁମ୍ଭର ସେ ଭବ ଜଳୁଂ ଉଦ୍ଧରେ

ବଦୟନ୍ତି ସାରୋଳାଦାସ ମୋ ମନ ରହୁ ଶ୍ରୀକୃଷ୍ଣ ପୟରେ।୪୯।୧୨୪।

******

 

ଯୁଧିଷ୍ଠିରଂକର ରାଜ୍ୟାଭିଷେକ

 

ୟେଥୁ ଅନନ୍ତରେ ଯେ ବଦୟନ୍ତି ଜନାର୍ଦ୍ଦନ

ଅଭିଷେକ ଯୋଗାଡ଼ ୟେବେ କରିବା ବିଧାନ।୧।

ବିଦୁର ସହିତେଣ ଅଇଲେ ନିଜ ପୁରୀ

ଅଭିଷେକ ଆୟୋଜନ ନିମିଷେକେ ଯୋଗାଡ଼ କରି।୨।

ମେଷମାସ ଶୁକଳ ପକ୍ଷ ତୃତୀୟା ଯେ ତିଥି

ରୋହିଣୀ ନକ୍ଷତ୍ର ଆଉ ବାର ବୃହସ୍ପତି।୩।

ବ୍ୟାସଦେବଂକୁ ସ୍ମରଣ କଲେକ ଯୁଝେଷ୍ଠି

ଷାଠି ସସ୍ର ଶିଷ୍ୟ ଘେନି ବିଜେ ତପୋନିଷ୍ଠି।୪।

ଧର୍ମ ପ୍ରୋହିତଂକ ତୁଲେ ଲକ୍ଷେକ ବ୍ରାହ୍ମଣ

ବଶିଷ୍ଠ ମାରକଣ୍ଡ ତୁଲେ ଅଇଲେ ମୁନିଗଣ।୫।

ସୁଦେବ ସହିତେ ଅଇଲେ ଅଶୀ ସସ୍ର ଶିଷି

ନବଲକ୍ଷ ବାଳଖିଳା ଘେନି ଅଇଲେ ଅଗସ୍ତି ମହାଋଷି।୬।

କୋଟିୟେକ ଯତି ଘେନିଣ ଅଇଲେ ଦୃଭାସା

ଲକ୍ଷେକ ଶିଷ୍ୟ ଘେନି ଅଇଲେ ପାରେଶ୍ୱର ପୁରୁଷା।୭।

ଅହିବ୍ରତେକ ଶିଷ୍ୟ ଘେନିଣ ଅଇଲେ ଉଦ୍ଦାଳକ

ଲକ୍ଷେକ ଶିଷ୍ୟ ଘେନିଣ ବିଜୟେ ବିଭାଣ୍ଡକ।୮।

ନବ ସହସ୍ର ଶିଷ୍ୟ ବିଶ୍ୱାମିତ୍ର ଅଇଲେ

ସହସ୍ରେକ ଚେଲା ଘେନି ସୁମନ୍ତ ବିଜେକଲେ।୯।

ଅହିବ୍ରତେକ ଶିଷ୍ୟ ଘେନି ବିଜେ ମାରକଣ୍ଡ ଋଷି

ଋଷ୍ୟଶୃଙ୍ଗ ତୁଲେ ବିଜେ ନବସହସ୍ର ବାଳ ଶିଷି।୧୦।

ଲକ୍ଷେକ ଶିଷ୍ୟ ଘେନି ଅଷ୍ଟାବକ୍ର ତପୋବନ୍ତ

ପଞ୍ଚଅହିବ୍ରତ ତୁଲେ ବିଜେକଲେ ପଉଲସ୍ତ୍ୟ।୧୧।

ନବସହସ୍ର ଶିଷ୍ୟଘେନି ବିଜୟେ ଲୋମଶି

ଅର୍ବୁଦେକ ଶିଷ୍ୟ ଘେନି କଣ୍ୱ ପରବେଶ।୧୨।

ବେନି ଲକ୍ଷ ଶିଷ୍ୟ ଘେନି ବିଜୟେ ଅଜପା

ଲକ୍ଷେକ ଶିଷ୍ୟ ଘେନି ବିଜୟେ ସତ୍ୟପା।୧୩।

ଲକ୍ଷେକ ବ୍ରାହ୍ମଣ ଘେନି ଅତ୍ରି ମହାମୁନି

ଗର୍ଗ ପାଞ୍ଚଅହିବ୍ରତ ଶିଷ୍ୟ ତୁଲେ ଘେନି।୧୪।

ସୁଦେବ ବାମଦେବ ଋଷି ଯେ କଞ୍ଚଣ

ୟେହାଂକର ତୁଲେ ତିନିଲକ୍ଷ ଯେ ବ୍ରାହ୍ମଣ।୧୫।

ଅରୁଣ ତେଜ ଯେ ଅନଙ୍ଗ ସଦାଶିବ

ପାଞ୍ଚଲକ୍ଷ ବ୍ରାହ୍ମଣ ଘେନି ବିଜେକଲେ ବାମଦେବ।୧୬।

ଆହୋ ଚଇତନ ଯେତେ ଋଷି ଥିଲେ ଆରଣ୍ୟକ କାଳେ

ସମସ୍ତେ ଅଇଲେ ଯେ ଯୁଝେଷ୍ଠି ପାଟ ଅଭିଷେକ କାଳେ।୧୭।

କଷା କଉପୁନୀ ହାଥେ ଦଣ୍ଡକମଣ୍ଡଳ ଜପାମାଳୀ

ଭସ୍ମ ଲେପନ କେ ଗୋପୀ ବୃନ୍ଦାବନ ଚିତା ଯେ ଶାମଳି।୧୮।

ତ୍ରିକଚ୍ଛ ବସନ ଶୋହେ କାଖେ ବେଦ ଯେ କରାଣ୍ଡି

ପୋଥି ଛଡ଼ା ପବିତ୍ର ଉତ୍ତରୀ ହାଥେଣ କୁଶବିଡ଼ି।୧୯।

ଦେବଋଷି ବ୍ରହ୍ମଋଷି ରାଜଋଷି ଆସିଣ ମିଳିଲେ

ଅଭିଷେକ ବିଧାନ ସମସ୍ତେହେଂ କଲେ

ପାଞ୍ଚେ ଅଭିଷେକ କରି ଯୁଝେଷ୍ଠିଂକି ବନ୍ଦାଇଲେ।୨୦।

ଶଙ୍ଖଶବଦେ ଯେ କଲେ ନାନା ମଙ୍ଗଳ ଧୁନି

ଶ୍ରୀକୃଷ୍ଣ ଚରଣେ ଶରଣ ପଶଇ ସାରୋଳାଦାସ ମୁନି।୨୧।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି ମହାମୁନି

ଯୁଝେଷ୍ଠି ଅଭିଷେକ ପାପନାଶନ ଯେ ଧୁନି।୨୨।

ବନ୍ଦାପନା ବିଧି ସାରି ଦେବ ଧର୍ମରାୟେ

ଦିବ୍ୟବେଶ ହୋଇଣ ଆସ୍ତାନେ ବିଜେ କୟେ।୨୩।

ଗଳାୟେ ରୁଦ୍ରାକ୍ଷମାଳ ତୁଳସୀ କଣ୍ଠହାରା

କରେ କୁଶବଟୁ ତମ୍ୱାପାତ୍ରୀ ଶୋହେ ଗୋପ୍ୟାନ ଦୋହୋରା।୨୪।

ନିର୍ଧୂମ ଅଗ୍ନି ଜାଣି ବିରାଜଇ କାୟେ

କର ପ୍ରସାରି ବେଦ ଆଧ୍ୟାନ ଋଷି କୟେ।୨୫।

କଣୟ ଉତ୍ତାରୁ ଯେ କଣୟ ପଇତା

ଯୁଝେଷ୍ଠିଂକି ଆଭରଣେ କଲେକ ଭୂଷିତା।୨୬।

ଋକ ଯଜୁ ସାମ ଅଥର୍ବ ବେଦ ଚାରି

ଅଜପା ଗାୟତ୍ରୀ ମହାମନ୍ତ୍ରେ କଲ୍ୟାଣ ଉଚ୍ଚାରି।୨୭।

ଗହଗହ ଧୁନି ଶୁଣିଣ ଧୃତିରାଷ୍ଟ

ଆତ୍ମା ବଇକୁଲ୍ୟା ତା ଶରୀର ମହାକଷ୍ଟ।୨୮।

ଭୋ ଦଇତ ପୁରୁଷ ୟେହା ତୁ ମୋତେକଲୁ

ଚିତ୍ରପଟ ପ୍ରାୟେକ ଦେଖାଇ ହରିନେଲୁ।୨୯।

ଗାନ୍ଧାରୀ ବୋଇଲେ ସ୍ୱାମୀ ଶୁଣ ଧୃତିରାଷ୍ଟ

ଯେତେକାଳ ବ୍ରତିବା ୟେହିମତି କଷ୍ଟ।୩୦।

ସାଗର ସଙ୍ଗମେ ପଶି ଝାସ ଦେବା ନିଜ ପ୍ରାଣ

ଅଭିଷେକ ସରିଲେ ଆମ୍ଭେ ଯାଇ ସିନା ପୁଣ।୩୧।

ଯେହ୍ନେ ସେ ରାଜାଂକର ଅଭିଷେକ ବିଧାନ

ବିଦୁର ସମ୍ପାଦିଅଛି ସକଳ ସଞ୍ଚାମାନ।୩୨।

ଶ୍ୱେତହାତୀ ଶ୍ୱେତଅଶ୍ୱ ଶ୍ୱେତଚାମରନ୍ତ

ଶ୍ୱେତଛତ୍ର ଶ୍ୱେତଆଲଟ ଶ୍ୱେତବର୍ଣ୍ଣ ନେତ।୩୩।

ଶ୍ୱେତବର୍ଣ୍ଣ ବସ୍ର ଶ୍ୱେତବର୍ଣ୍ଣ ଯେ କଳସ

ଶ୍ୱେତ ଶ୍ରୀଫଳ ଶ୍ୱେତଗୁଆ ଅକ୍ଷତ ଯେ ପ୍ରକାଶ।୩୪।

ଶ୍ୱେତଦୀପ ଲକ୍ଷେଗୁଆ ଘୃତେ ଭରି

ଶ୍ୱେତନେତ ବଳିତା ଶ୍ୱେତରୁଖା ଶତେ କରି।୩୫।

ଶ୍ୱେତସୁଗନ୍ଧ ଚନ୍ଦନ ଶ୍ୱେତପୁଷ୍ୟ ସାରିକ୍ଷେ

ଶ୍ୱେତଦୁର୍ବା ଶ୍ୱେତପୁଷ୍ୟ ଲକ୍ଷେ ଲକ୍ଷେ।୩୬।

ଶ୍ୱେତପାରୁଆ ଶ୍ୱେତଗୁଞ୍ଜ ଶ୍ୱେତବାୟସା ଶ୍ୱେତ ଶଙ୍ଖଚିଲ

ଶ୍ୱେତସଷ୍ଟିକର ସିଂଘାସନ କଣୟ ସମତୁଲ।୩୭।

ଶ୍ୱେତମୃଗ ଶ୍ୱେତଗଣ୍ଡା ଶ୍ୱେତବର୍ଣ୍ଣା ଗାଈ

ଶ୍ୱେତବର୍ଣ୍ଣ ଶତେ ଲକ୍ଷ ଷଣ୍ଢ ସନ୍ନିଧ୍ୟେ ତୁଲାଇ।୩୮।

ଶ୍ୱେତଛଞ୍ଚାଣ ଶ୍ୱେତପାରା ଶ୍ୱେତ କୁଶ ସାରୀ

ଶ୍ୱେତବର୍ଣ୍ଣ କଦଳୀତରୁ ଦ୍ୱାରେଣ ରୋପିକରି।୩୯।

ଶ୍ୱେତବର୍ଣ୍ଣ ସଉରଭପାତ୍ରରେ ଲକ୍ଷେକ ପ୍ରୋକ୍ଷଣୀ ସୁରା

ଅଶ୍ୱମେଧ ଗୁଆଘୃତେ ଆହୂତି ଲକ୍ଷେକ ଦୋହୋରା।୪୦।

ବେଦମନ୍ତ୍ରେନିର୍ଜିତଯେପବିତ୍ରବ୍ରାହ୍ମଣ

ଚାରିବେଦରୁଲକ୍ଷେଲକ୍ଷେକବ୍ରାହ୍ମଣବରଣ।୪୧।

ପ୍ରାଣତ୍ୟାଜ ବଶ୍ୟାନର କାଳାନଳ ବହନି ଫିଙ୍ଗଳ ଜ୍ୱାଳ

ଜାତ ଅନଳ ବଡବାନଳ କ୍ରୋଟ ଅନଳ ବନ ଅନଳ।୪୨।

ଭୋଗ ଅନଳ ଯୋଗ ଅନଳ କ୍ରୋଧ ଅନଳ ବହତି

ବ୍ରହ୍ମ ଅଗ୍ନି ରୁଦ୍ର ଅଗ୍ନି ଭାସ୍କର ତେଜକାନ୍ତି।୪୩।

ୟେହାଂକର ମୂଳେ ଚଉବିଂଶ ଅନଳେ

ବିଜୟେ ଯୁଗାନ୍ତେକ ଯୁଝେଷ୍ଠିଂକ ଅଭିଷେକ କାଳେ।୪୪।

ଆଚାର୍ଯ୍ୟ ବରଣ ମାରକଣ୍ଡେ ବ୍ରହ୍ମା ବରଣ ଶୁକେ

ସନକ ବିଶ୍ୱଦେବ ବିଭାଣ୍ଡକ କଉଶିକେ।୪୫।

ଚାରିଦ୍ୱାରେ ବରଣ ଯେ ଚାରିଗୋଟି ଋଷି

ଅଜପା ମନ୍ତ୍ରେଣ ଜପନ୍ତି ପାଞ୍ଚଲକ୍ଷ ଶିଷି ବସି।୪୬।

ଯାଗେଣ ଯାଗନିକ ପାରେଶ୍ୱର ସୁଦେବ ଅଗସ୍ତି

ବଶିଷ୍ଠପ ଉଲସ୍ତି ବିଶ୍ୱାମିତ୍ର ଭୃଗୁଯତି।୪୭।

ଶ୍ରୀରାମ ମୁଦ୍ରା ଯେ ଶାଳଗ୍ରାମ ଶୀଳା

ଲକ୍ଷ୍ମୀନାରାୟଣ ରୁଦ୍ର କୃଷ୍ଣ ଯେ ପିଙ୍ଗଳା।୪୮।

ମୀନ ରୂପ କନକର ଲକ୍ଷେକ ପ୍ରତିମା

ଲକ୍ଷେ କୂର୍ମ ରୂପ ଲକ୍ଷେକ ବରେହା ପ୍ରତିମା।୪୯।

ଥମ୍ୱ ନରସିଂଘ ଜାତ ନରସିଂଘ

ବିଦାରଣ ନରସିଂଘ ଜଟ ନରସିଂଘ ଯୋଗ ନରସିଂଘ।୫୦।

ରୂପ ନରସିଂଘ କାମ୍ୟକ ନରସିଂଘ

ପ୍ରହରାଜ ନରସିଂଘ ଲକ୍ଷ୍ମୀ ନରସିଂଘ।୫୧।

ଯୋଜକ ନରସିଂଘ ପଦ୍ମ ନରସିଂଘ

ଅବିଷେକ ନରସିଂଘ ଜପ ନରସିଂଘ ପ୍ରତିମା ଲକ୍ଷେ ନରସିଂଘ।୫୨।

ବାମନ ପ୍ରତିମା ଲକ୍ଷେକ ପ୍ରଶୁରାମ ପ୍ରତିମା ଲକ୍ଷେ

ଶ୍ରୀରାମ ପ୍ରତିମା ହଳଧର କଳ୍କୀ ପ୍ରତିମା ଅସଂଖ୍ୟେ।୫୩।

ସଦାଶିବ ବାମଦେବ ପ୍ରତିମା ଲକ୍ଷେକ ବାଣ ଲିଙ୍ଗ

ତ୍ରିଶାଖା ବେଲପତ୍ରୀ ଲିଙ୍ଗ ଗୋଟିକେ ଲକ୍ଷେକ ସଂଯୋଗ।୫୪।

ୟେକା ଲିଙ୍ଗକେ ଲକ୍ଷେ ଲକ୍ଷେ ଦୁହାଂଳ ଯେ ଗାଈ

ଦଶ ଅବତାରେ ତୁଳସୀମାଳ ଲକ୍ଷେକ ଆଭରଣ କରାଇ।୫୫।

ସହସ୍ରେକ ଭୁଜହୋୟେ ଲକ୍ଷେକ ଦୁର୍ଗା ଯେ ପ୍ରତିମା

ଚତୁର୍ମୁଖ ହୋଇ ଲକ୍ଷେକ ବ୍ରହ୍ମା ଯେ ଉତ୍ତମା।୫୬।

ଲକ୍ଷେକ ପ୍ରତିମା ସର୍ବମଙ୍ଗଳା ଯେ ପିତୁଳି

ଲକ୍ଷେକ ପ୍ରତିମା ଲକ୍ଷ୍ମୀ ଅବତାର ଧବଳୀ।୫୭।

ବାର ଆଦିତ୍ୟ ଷୋଳ ଚନ୍ଦ୍ରମା ପବନ ଅଣଚାଷ

ନବ ଗ୍ରହଂକ ଯେ ଦିଗପାଳ ଦଶ।୫୮।

ଶଂଖ ଶ୍ୱେତ ପଦ୍ମ ମହାପଦ୍ମ କର୍କୋଟକ ତକ୍ଷକ କୁଳିକ ମୂଳେ ଅନନ୍ତ

ଅଷ୍ଟରତ୍ନରେ ନିର୍ବାଣ ଯେ ଅଷ୍ଟକୁଳା ନାଗାନ୍ତ।୫୯।

ଲକ୍ଷେକ ପ୍ରତିମା କଲେ ଗ୍ରାମ ଯେ ଦେବତୀ

ଯମ କାଳ ବିକାଳ ଚିତ୍ର ଯେ ଗୁପତି।୬୦।

ସୁବର୍ଣ୍ଣର ଶିର ନଖ ମୁଖ ଚାରି ଚରଣ କରି

ଲକ୍ଷେକ ଆସନ କୃଷ୍ଣାଜିନ ଯେ ଛଉଂରୀ ପାଡ଼ି।୬୧।

ଡାହାଣ ବ୍ରତେକ ଶଂଖ ଲକ୍ଷେକ ସୁବର୍ଣ୍ଣବନ୍ଧା ଫୁରି

ୟେକମୁଖୀ ରୁଦ୍ରାକ୍ଷ ଲକ୍ଷେକ ମାଳ କରି।୬୨।

ଲକ୍ଷେକ ଘର ଯେ ସୁବର୍ଣ୍ଣର ଛାୟେଣି

ସୁବର୍ଣ୍ଣର କଳସ ନେତ ପାତାଙ୍ଗ ନିରିବାଣି।୬୩।

ବହୁବିଧ ତାଣ୍ଡବ ମଧୁର ସଙ୍ଗୀତା

ଦ୍ୱାରେଣ ଗୀତଗାବନ୍ତି ଲକ୍ଷେକ ବନିତା।୬୪।

ମୃଦଙ୍ଗ ତାଳ କଂସାଳ ମହୁରୀ ବ୍ରହ୍ମବେଣୀ

ସରଗୁଣା ଅଧାଟି ମର୍ଦ୍ଦଳ ଗଣପତି ବୀଣାଯନ୍ତ୍ର ସଙ୍ଗୀତ ଗାୟେଣୀ।୬୫।

ଗ୍ରହଯୋଗେ ମଙ୍ଗଳ କରନ୍ତି ଗ୍ରହପୁତ୍ରେ

ଶୁଭ ଅନକୂଳ ଧଇଲେ ମାହୀନ୍ଦ୍ର ଯୋଗ ଯେତେ।୬୬।

କୋଟିୟେ ତୀର୍ଥଘେନି କ୍ଷେତ୍ରାଧି ପୁଷ୍କର

ତୀର୍ଥପତିମାନେ ସମସ୍ତ ସଙ୍ଗତର।୬୭।

ସିଂଘାସନ ଉପରେ ନେତର ବସନ ଯେ ମାନ।୬୮।

ତହିଂର ମାହୀନ୍ଦ୍ର ଯୋଗର କମଳି

ଶାଳଗ୍ରାମ ଶିଳା ଲକ୍ଷେ ଅଷ୍ଟରତ୍ନ ତହିଂ ତୋଳି।୬୯।

କୋଟିୟେ ରତ୍ନଶରୀରେ ଆଭରଣ କରି

ତହିଂର ଉପରେ କୃଷ୍ଣାଜିନ ମୃଗର ଛଉଂରୀ।୭୦।

ସେ ଶାଳଗ୍ରାମମାନଂକୁ କରିଣ କୋଟିୟେ ପୂଜା

ଦେବାଧିଦେବୀମାନଂକୁ ଅନେକ ବଳି ଭୋଜା।୭୧।

ଅନେକ ଗୋଦୋହନ ଶିବ ଆଳେ କରି

କୋଟିୟେ ମାଣିକ୍ୟ ମୁକୁଟ ଶିରେ ଧର୍ମରାୟେ ଭରି।୭୨।

ସୁବର୍ଣ୍ଣର ଉତ୍ତୁରୀ ପବିତ୍ରା ଘେନିଣ ପରମଯୋଧୀ

ଯୁଝେଷ୍ଠିଦେବଂକୁ ନେଇ ବ୍ୟାସେ କରାଇ ଲାଗି।୭୩।

ଶ୍ରୀଭୁଜେ ଦିଲେ ନେଇ ବଇଜୟନ୍ତୀ ମାଳା

ଶ୍ରୀକୃଷ୍ଣେ ଆଭରଣେ କଲେ ନେଇ ଯୁଝେଷ୍ଠିଂକ ଗଳା।୭୪।

ଅମୃତ ଯୋଗାଡ଼ ଘେନି ମାହୀନ୍ଦ୍ର ଅନକୂଳେ

ରାଜକର୍ମ ଧର୍ମ ସମସ୍ତ ମଙ୍ଗଳ ଯେତେବେଳେ।୭୫।

କୋଟିୟେ ତୀର୍ଥଘେନି କ୍ଷେତ୍ରାଧି ପୁଷ୍କର

ବିଜୟେ ପାଞ୍ଚାଳୀ ଯାଇଂ ଯୁଝେଷ୍ଠିଦେବଂକ କୋଡ଼ର।୭୬।

ଡାହାଣେ ବିଜୟେ ବ୍ରିକୋଦର ବାମେଣ ଫାଲଗୁନି

ପଛେଣ ନକୁଳ ଯେ କଣୟ ଦଣ୍ଡଘେନି।୭୭।

ଆଗେଣ ଉଭା ସହଦେବ କାଖେ ମହାମନ୍ତ୍ର ପୋଥି

ରତ୍ନ ଆଭରଣ କଲେ ଆଣି ଶ୍ରୀକୃଷ୍ଣ ପଞ୍ଚମୃତ୍ତି।୭୮।

ଲକ୍ଷେକ ଧବଳ ଛତ୍ର ଉଡ଼ନ୍ତି ଅଗ୍ରତେ

ନେତର ଆଲମ୍ୱ ଫରହର ଉଡ଼ଇ ଅହିବ୍ରତେ।୭୯।

ୟେକଲକ୍ଷୀ ତ୍ରୟେଲକ୍ଷୀ ଆବର ପଞ୍ଚଲକ୍ଷୀ

ୟେମାନ ଲକ୍ଷେ ଲକ୍ଷେ ମୟୂର ଝାଲି ପକ୍ଷୀ।୮୦।

ଉଦାଳେକ ପକ୍ଷୀ ଲକ୍ଷେକ ଉଡ଼ାଇ

ୟେମନ୍ତେ ଅଭିଷେକ ବିଧାନ କରାଇ।୮୧।

ମଙ୍ଗଳ ହୁଳହୁଳି ଦିଅନ୍ତି ଗଣିକା

ଆଗେ ଲକ୍ଷେ ନାଚନ୍ତି ବିଦ୍ୟାଧରୀ ନାୟିକା।୮୨।

ଦିବ୍ୟ ଅବତାର ଯେ କରନ୍ତି ଗୋବିନ୍ଦ

ଅଇରାବ୍ରତ ଆରୋହି କଣୟ ବୃଷ୍ଟି ତହିଂ କରଇ ଦେବ ଇନ୍ଦ୍ର।୮୩।

ମୁକୁତା କଳସରେ କୋଟିୟେ ତୀର୍ଥ ପାଣି

ଯୁଝେଷ୍ଠିଂକ ଶିରେ ପୁଷ୍କର ଅଭିଷେକ କଲା ଆଣି।୮୪।

ଅମୃତ ବୃଷ୍ଟି କରନ୍ତି ତହିଂ ଯେ ମେଘମାଳା

ଡାକନ୍ତି ଚଣ୍ଡପୁତ୍ରେ ଶୁଭ ଲଗ୍ନବେଳା।୮୫।

ଶୁଣ ହୋ ରାଜନ କୋଟିୟେ ତୀର୍ଥେ ଜଳ ଘେନି ସମସ୍ତ ମହଋଷି

ପାଦାଅର୍ଘ୍ୟ ଦେଇ ପୂଜା କରନ୍ତି ସର୍ବେ ଆସି।୮୬।

ଶତେ ପଳ ପଞ୍ଚାମୃତେ ହୃଦେ ପାଦ ପୂଜା

ରାଜ ଅଭିଷେକେ ବସିଲେ ଧର୍ମରାଜା।୮୭।

ବାଜନ୍ତି ବୀରତୂର ଚମକ ନିଶାଣ ଦାଉଣ୍ଡି

ବୀରମର୍ଦ୍ଦଳ ବିଜିଘୋଷ ଘଣ୍ଟାନାଦେ କମ୍ପଇ ମହୀଖଣ୍ଡି।୮୮।

ୟେସନେକ ବିଧାନେ ଅଭିଷେକ ସାରି

ପାଟହାଥୀ ଉପରେ ଧର୍ମରାଜା ବିଜେକରି।୮୯।

ଅଶ୍ୱନ୍ତ ଆରୋହିଣ ପାଣ୍ଡବ ଚାରିଭାଇ

ଖଗବର ବାହାନେ ବିଜେ ନାରାୟଣ ସାଇଂ।୯୦।

ଜୟ ତୁ ଜୟ ପରମାନନ୍ଦ ବାସୁଦେବ

ଖଣ୍ଡଣ ମଣ୍ଡଣ ନାଥ କରନ୍ତା ଦେବସର୍ବ।୯୧।

ମାନଗୋବିନ୍ଦ ଚାପି ପାଣ୍ଡବନ୍ତ ଥାପି

ଜଗତଜନ ବାନ୍ଧବ ନାଥ ଅଟୁ ବିଶ୍ୱରୂପୀ।୯୨।

ଧର୍ମନନ୍ଦନଂକର ଅଭିଷେକ କାଳେ

ବିନୟ ଭାବ ଇଚ୍ଛିଲି ତୁମ୍ଭର ପାଦତଳେ।୯୩।

ନୁହଇ ପଣ୍ଡିତ ମୁଂ ଜାଣଇ ଶାସ୍ର ବିଧି

ନିରଞ୍ଜନ ବୋଧନରେ କିସ ମୋର ବୁଦ୍ଧି।୯୪।

ଯାହା ସେ ଆଗ୍ୟାଂ ଦିଲେ କୃପାଜଳ ନନ୍ଦିନୀ

ତାହା ମୁଂ ବଖାଣିଲି ହୃଦେଣ ସତ୍ୱ ଘେନି।୯୫।

ଜନ୍ମେ ଜନ୍ମେ ଭଗତି ମୁଂ ଝଂଖେରପୁର ବାସୀ

ଶ୍ରୀକୃଷ୍ଣ ବଚନେ ସାରୋଳାଦାସ ଶୟଳଜନ ତୋଷି।୯୬।

ୟେଥୁଅନନ୍ତରେ ବଇବସୁତ ମନୁ ଯେ ପ୍ରକାଶି

କୋଟିୟେ ବଂଶ ଘେନି ତରିଲି ହୋ ଅଗସ୍ତି ମହଋଷି

ୟେଥୁଂ ଉତ୍ତାରେ କିସ କଲେ ଧର୍ମଶିଷି।୯୭।

ଅଗସ୍ତି ବୋଇଲେ ଯୁଝେଷ୍ଠି ପ୍ରତକ୍ଷେ ନିରଞ୍ଜନ

ଯାହାର ପୟରେ ଆରାଧନା କରନ୍ତି ଜନାର୍ଦ୍ଦନ।୯୮।

ତାହାର ଅଭିଷେକ ଯେ ଶୁଣନ୍ତି ଶ୍ରବଣେ

ପାବନ୍ତି ବଇକୁଣ୍ଠ ନ ଦଣ୍ଡନ୍ତି ଯମଗଣେ।୯୯।

ୟେକ ଲୟେ କରି ଶ୍ରବଣେ ଶୁଣନ୍ତି ଗାବନ୍ତି ଯେତେ ଲୋକ

ଜରାବ୍ୟାଧି ନାହିଂ ଅଙ୍ଗେ ନବସିବାକ ଶୋକ।୧୦୦।

ଆଷ୍ୟ ଧନ ଧ୍ୟାନ୍ୟ ପୁତ୍ର ଯେ ଯାହା ମନେଇଚ୍ଛି

ଅବଶ୍ୟ ପ୍ରାପତ ହୃଦେ ମନେ ଯାହା ବାଞ୍ଛି।୧୦୧।

ଗୋ କୋଟି ଦାନ ଦିଲେ କୋଟିୟେ ତୀର୍ଥ କଲେ

ପର୍ବତ ସରି କଣୟମାନ ଦାନ ଦିଲେ।୧୦୨।

ଅନ୍ନ ବସ୍ର ଜଳ ଭୂମି ଦାନ କରିବ ବିପୁଳ

କେହି ତୁଲ୍ୟ ନୁହନ୍ତି ଭାରଥ ଶ୍ରବଣ ପୁଣ୍ୟଫଳ।୧୦୩।

ହେ ବୁଧ ଜନେ ଶ୍ରୀକୃଷ୍ଣେ ଭଗତି ବଇକୁଣ୍ଠେ ଯାହାର ଇଚ୍ଛା

ଧର୍ମରାଜା ଅବିଷେକ ଶୁଣି କରନ୍ତି ଯେ ଯାହା ମନୋବାଞ୍ଛା।୧୦୪।

ଧର୍ମ ଅର୍ଥ କାମ ମୋକ୍ଷ ପ୍ରାପତ ହୋଇବ ଚତୁବର୍ଗ

ଯାହା ଶୁଣନ୍ତେ ପାଇ ଅକ୍ଷୟେ ମହାସର୍ଗ।୧୦୫।

ଶରୀରେ ନପୀଡଇ କାଳ କାମ ନିଦ୍ରା

କ୍ଷେତ୍ର ଧର୍ମ ଅର୍ଥ ପ୍ରାପତ ସର୍ବସିଦ୍ଧା।୧୦୬।

ଧର୍ମରାଜା ଅଭିଷେକ ବିଧାନ ଶୁଣନ୍ତେ

ବସିବ ବିଷ୍ଣୁ ଭଗତଂକ ସହ ଇନ୍ଦର ସଂଗତେ।୧୦୭।

ସୁଜନେ ଶ୍ରୀରାମ ନାମ ହୃଦ ପଦ୍ମେ ଧର

ବଦୟନ୍ତି ସାରୋଳାଦାସ ହରି ଧ୍ୱନି କର।୧୦୮।

ବଇବସୁତ ମନୁୟେ ପୁଚ୍ଛାକଲେ ଅଗସ୍ତି

ୟେତେ ଅବିଷେକ କାଳେ ନାହିଂ ହାଥୀ ଯେ ପାଦାନ୍ତି।୧୦୯।

ଅଗସ୍ତି ବୋଇଲେ ଶ୍ରୀକୃଷ୍ଣଂକର ଲକ୍ଷେ ଷାଠିୟେ ସହସ୍ର ଅଶିୟେ ନନ୍ଦନ

ୟେମାନେ ଆରୋହିଛନ୍ତି ଯେ ଯାହାର ଯାନ ଯେ ବାହାନ।୧୧୦।

ଦିବ୍ୟ ଅବତାର ନାନା ଶହସ୍ରନ୍ତ ଘେନି

ବିହଡନ୍ତି ବୀରେ ନାନା ରଙ୍ଗେ ଆଗପଛେ ସାତବଂଶ ସଇନି।୧୧୧।

ଯଦୁବଂଶ ବୀରମାନେ ଦିଶନ୍ତି କାମଦେବ ପ୍ରାୟେ

ଆଉ ସମସ୍ତେ ଦିଶୁଛନ୍ତି ଯେ ବୃନ୍ଦାରକ ପ୍ରାୟେ।୧୧୨।

ବିଦ୍ୟାଧର ତୁଲେ ଯେହ୍ନେ ବିଜୟେ ଅସ୍କନ୍ଦ

ତେସନ ସାରିଷେ ଦିଶନ୍ତି ଯୁଝେଷ୍ଠି ନରଇନ୍ଦ୍ର।୧୧୩।

ଦେବଋଷି ରାଜାଋଷି ବ୍ରହ୍ମଋଷି ଶ୍ରୀକୃଷ୍ଣ ସହିତେ

ଭ୍ରମନ୍ତି ଲୀଳାୟେ ସେ ପଞ୍ଚ ଯେ ପ୍ରଶସ୍ତେ।୧୧୪।

ଆଲଟ ଚାମର ଧରି କୃଷ୍ଣର ସୁତମାନେ

ଉଭାରନ୍ତି ଘୋଟିଣ ଯୋଜନେ ଯୋଜନେ।୧୧୫।

ମହା ସମ୍ଭର୍ବେଣ ପଞ୍ଚୁରାଜ୍ୟେ ଫେରି

ଦ୍ରଶନ କଲେ ଆସି ଧୃତିରାଷ୍ଟ ଗାନ୍ଧାରୀ।୧୧୬।

ଅନେକ ଆନନ୍ଦ ଯେ ହୋଇଲେ ଅନ୍ଧରାୟେ

ୟେହି ରୂପେ ସ୍ୱର୍ଗେ ପ୍ରାପତ ତୋତେ ହୋୟେ।୧୧୭।

ସାନନ୍ଦ ଯୁଝେଷ୍ଠି ଧୃତିରାଷ୍ଟ ବାକ୍ୟ ଶୁଣି

ଶ୍ରୀକୃଷ୍ଣ ସାନନ୍ଦେ କଲେ ପାଞ୍ଚଜନ୍ୟ ଶଂଖଧୂନି।୧୧୮।

କଲ୍ୟାଣ ବାଞ୍ଛିଲେ ଯେ ସକଳ ମହଋଷି

ଯେ ଯାହାର ଆଶ୍ରମେ ପ୍ରବେଶ ହେଲେ ଆସି।୧୧୯।

ରାଜ୍ୟେ ୟେକଛତ୍ର ହୋଇଲେ ଯୁଝେଷ୍ଠି

ଶ୍ରୀକୃଷ୍ଣ ନାଥଂକ ମନ ହୋଇଲା ମହାତୁଷ୍ଟି।୧୨୦।

କଥୟନ୍ତି ଶ୍ରୀକୃଷ୍ଣ ଯେ ଯୁଝେଷ୍ଠିଂକ ଆଗେ

ଦ୍ୱାରିକା ଭୁବନକଇଂ ଯିବୁଂ ଆମ୍ଭେ ବେଗେ।୧୨୧।

ଧର୍ମେଣ ରାଜ୍ୟେ ତୁମ୍ଭେ ପ୍ରତିପାଳି ଥିବ

ପ୍ରଜାଂକୁ ସୁଖୀ କରାଇ ରାଜ୍ୟ ଭୋଗ ଭୁଞ୍ଜିବ।୧୨୨।

ୟେତେକ ତିଆରି ପୁତ୍ରନ୍ତ ଘେନିଣ ମଧୁହାରୀ

ଯେଉଂ ଦେବ ତ୍ରଇଲୋକ୍ୟେ ଅଟନ୍ତି ମନୋହାରୀ।୧୨୩।

ଯୁଝେଷ୍ଠିଂକି ତିଆରିଣ ଶ୍ରୀକୃଷ୍ଣ ଗଲେ ବେଗେ

ଦ୍ୱାରିକାରେ ପ୍ରବେଶ ହୋଇଲେ ଶ୍ରୀରଙ୍ଗେ।୧୨୪।

ବଲରାମଂକ ଛାମୁରେ କହିଲେ ସର୍ବକଥା

କୁରୁ ପାଣ୍ଡବ ଯୁଦ୍ଧର ଯେବଣ ବ୍ୟବସ୍ଥା।୧୨୫।

ୟେସନେକ ବୃତ୍ତାନ୍ତ ଯହୁଂ ସଞ୍ଚପି ସକଳ କହିଲେ

ଶୁଣି ବଳଦେବ ମନେ ତ୍ରିପୁତି ହୋଇଲେ।୧୨୬।

ଶ୍ରୀଭଗବାନଂକର ଦାସର ମୁଂ ଦାସ

ବଦୟନ୍ତି ଶୂଦ୍ରମୁନି କବି ସାରୋଳାଦାସ।୧୨୭।

ଶ୍ରୀମହାଭାରଥ କଥା ଅମୃତ ରସ ବାଣୀ

କର୍ଣ୍ଣରେ ପିବନ୍ତେ ନରେ ଅମୃତ ପାନ ଜାଣି।୧୨୮।୨୫୨।

******

 

ଦୁର୍ବାସା ଋଷି କୃଷ୍ଣଙ୍କ ମାୟା ଦର୍ଶନ କରି ବ୍ରହ୍ମାଙ୍କୁ ଜଣାଇବା

ଓ କୋଣାର୍କ ତୀର୍ଥ ମାହାତ୍ମ୍ୟ ବର୍ଣ୍ଣନ

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକି

ଭୋ ଋଷି ପଡ଼ିଲାକି ଶ୍ରୀକୃଷ୍ଣଂକୁ ଗାନ୍ଧାରୀ ଶାପ ବାକି।୧।

ୟେହା ମୁନି ମୋତେ କହିବା ସଞ୍ଚପି

ତ୍ରିଭୁବନ ଅଧିପତିକି ହୋଇଲାଟିକି ଶାପି।୨।

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ ରାୟେ

ଚଉଦଲକ୍ଷ ବଳ ଘେନିଣ ହରି ଆୟେ।୩।

ପାଣ୍ଡବ ବଳ ଇନ୍ଦ୍ରପ୍ରଶସ୍ତ ରହିଲେ

ଧର୍ମ ବିବେକ କରି ରାଜ୍ୟେ ପ୍ରତିପାଳିଲେ।୪।

ଶ୍ରୀହରି ରହିଲେ ଯେ ଦ୍ୱାରିକା ପୁରସ୍ୱର୍ଗ

ଷୋଳସହସ୍ର ନାୟିକା ଘେନି କରନ୍ତି ବଇଭୋଗ।୫।

ପୃଥୀର ଭାରାଭର ନିବାରଣ ଅର୍ଥେ

ବଳରାମ ଶ୍ରୀକୃଷ୍ଣ ଉପୁଜିଲେ ଆସି ମର୍ତ୍ତ୍ୟେ।୬।

ଶ୍ରୀକୃଷ୍ଣ ଚରିତମାନ ବୁଝିବାର ନିମିତ୍ତ

ଅଇଲେ ଦୁର୍ଭାସା ଯହିଂ ଅଛନ୍ତି ଦଇବକୀର ସୁତ।୭।

ବଦୟନ୍ତି ଅଗସ୍ତି ଶୁଣ ହୋ ମହାରାୟେ

ବିଷ୍ଣୁର ପୁରେ ଦୁର୍ଭାସା କଲେକ ବିଜୟେ।୮।

ଜାଣିଲେ ମାୟାଧର ଦୁର୍ଭାସାଂକ ଚିତ୍ତ

ଦ୍ୱାରିକାୟେ ମାୟା କଲେକ ଜଗନ୍ନାଥ।୯।

ପ୍ରଥମରେ ରୁକ୍ମିଣୀଂକ ନବରକୁ ଗଲେ

ତହିଂ ଯାଇଂ ଦୁର୍ଭାସ୍ୟାୟେ କୃଷ୍ଣଂକୁ ଭେଟିଲେ।୧୦।

ଦୁର୍ଭାସ୍ୟାଂକୁ ଦେଖିଣ ପଦ୍ମନ ରୁକ୍ମଣୀ

ଶ୍ରୀକୃଷ୍ଣ ସହିତେ ତାଂକୁ ଅର୍ଘ୍ୟେ ପୂଜିଲେକ ଆଣି।୧୧।

କୃଷ୍ଣଂକୁ ଦେଖିଣ ମୁନି ସନ୍ତୋଷ ଯେ ମନ

ପୁଣି ଦୁର୍ଭାସାୟେ ଜମ୍ୱୋବତୀ ପୁରକଇଂ ଗବନ।୧୨।

ତହିଂ ଯାଇ ଦେଖିଲେ ଦେବ ଦାମୋଦର

ଜମ୍ୱୋବତୀର ସଙ୍ଗେ ବିଜୟେ ପଲ୍ୟଂକର।୧୩।

ଦୁର୍ଭାସ୍ୟାଂକୁ ଦେଖିଣ ଉଠିଲେ ଦେବକୃଷ୍ଣ

ପ୍ରଳମ୍ୱ କରିଣ ସେ ଶୁଚିଲେ ପାଦପୃଷ୍ଠ।୧୪।

ପୁଣ ପଶିଲେ ଯାଇଂ ଶକ୍ରାବତୀପୁର

ତହିଂ ବିଜେ କରିଛନ୍ତି ଦେଖିଲେ ଦେବ ଚକ୍ରଧର।୧୫।

ଭାଳନ୍ତି ଦେଖି ମୁନି କୃଷ୍ଣର ଚରିତ

ବତିଶ ସହସ୍ର କନ୍ୟାଂକ ୟେ କେମନ୍ତେ ହରଇ ଚିତ୍ତ।୧୬।

ୟେତେ ବିଚାରି ମୁନି ଗବନ କରିଆସି

ଗୋପକନ୍ୟାଂକ ମନ୍ଦିରେ ପଶିଲେ ଉପନେସି।୧୭।

ତହିଂ ଦେଖିଲେ କୃଷ୍ଣ ଛନ୍ତି ତାଂକ ତୁଲେ

ଋଷିଂକି ଦେଖି ବନମାଳୀ ପ୍ରଣପତ୍ୟ କଲେ।୧୮।

ତହିଂ ମୁନିବର ଦିବ୍ୟ ପୂଜାବିଧି ପାଇ

ଆରେକ କନ୍ୟାପୁରେ ପ୍ରବେଶ ହେଲେ ଯାଇଂ।୧୯।

ତହିଂ ମୁନି ଯାଇଂ ଦେଖିଲେ ଦେବହରି

ପୁତ୍ର ପଉତ୍ର ଘେନି ନମସ୍କାର କଲେକ ଶ୍ରୀହରି।୨୦।

ଛଡ଼ଅର୍ଘେ ପୂଜା ଘେନିଣ ମହାମୁନି

ୟେସନେକ ବତିଶ ସହସ୍ର କନ୍ୟାପୁରେ ପଶିଲେ ମହାମୁନି।୨୧।

ସବୁଥାନେ କୃଷ୍ଣଂକୁ ଖୋଜିଲେ ମହାମୁନି

ପୁତ୍ରପଉତ୍ର ସମେତେ ପ୍ରଳମ୍ୱ କରନ୍ତି ଚକ୍ରପାଣି।୨୨।

ଷୋଳସହସ୍ର ଯେ ଗୋପର ନାୟିକା

ଷୋଳସହସ୍ର ଅପକ୍ଷରୀ ଆଣିଲେ ମାରିଣ ନାରକା।୨୩।

ବତିଶ ସହସ୍ର କନ୍ୟା ଅଷ୍ଟ ପାଟବଂଶୀ

ସବୁରି ମନ୍ଦିରେ ଦେଖିଲେ ଶ୍ରୀକୃଷ୍ଣ ଛନ୍ତି ବସି।୨୪।

କନ୍ୟା ଗୋଟିକେ ଯେ ଶ୍ରୀକୃଷ୍ଣ ଗୋଟିୟେ

ଦେଖିଣ ଆଚମ୍ୱିତ ହେଲେକ ଦୁର୍ଭାସ୍ୟାୟେ।୨୫।

ସବୁରି ପୁରେ ଦୁର୍ଭାସା ପାଇଲେକ ପୂଜା

ଆପଣେ ଆପଣେ ମୁନି ପାଇଲେକ ଲଜ୍ଜା।୨୬।

ଜାଣିଲେ ମୁନି କୃଷ୍ଣର ୟେସନେକ ବିଧାନ

ମଞ୍ଚପୁରେ ପାଇଲେ ୟେ ସୁଖଭୋଗମାନ।୨୭।

ତକ୍ଷଣେ ଦୁର୍ଭାସ୍ୟାୟେ ଅନ୍ତର୍ଦ୍ଧାନ ହୋଇ

ପିତାମହ ଛାମୁରେ ତୁରିତେ ମିଳିଲେକ ଯାଇଂ।୨୮।

ବ୍ରହ୍ମାଂକର ଛାମୁରେ ବୋଲନ୍ତି ମୁନିବର

କୃଷ୍ଣର ଚରିତ ଧାତା ଅତି ଅଗୋଚର।୨୯।

ଶୁଣିଣ ବ୍ରହ୍ମା ତାଂକୁ ବୋଇଲେ ସନ୍ତୋଷେ

ପୃଥୀର ଭାରାଭର ଉଶ୍ୱାସ କରି କିଂକେ ନୁଆସନ୍ତି ଋଷିକେଶେ।୩୦।

ଦୁର୍ଭାସ୍ୟାୟେ କହିଲେ ଯେ ପିତାମହର ଆଗେ

ସେ କୃଷ୍ଣ ଆବରଟି ହୋ ନୁଆସନ୍ତି ସ୍ୱର୍ଗେ।୩୧।

ଭୋ ପରମେଷ୍ଠି ସେ ଆସିବେ ଆଉ କାହିଂ

ଯେବଣ ଚରିତ ମୁଂ ଦେଖିଲି ତାହା ତହିଂ।୩୨।

ବତିଶସହସ୍ର କନ୍ୟା ପୁରେ ମୋତେ କଲେ ହାଦେ ପୂଜା

ଆପଣେ ଆପଣେ ମୁଂ ଯେ ପାଇଲଇଂ ଲଜ୍ଜା।୩୩।

ୟେହା ଶୁଣି ପରମେଷ୍ଠିର ଉତସଲ୍ୟ କାୟେ

ପୃଥୀ ଭାରାଭର ଉଶ୍ୱାସିଲେ ଦେବରାୟେ।୩୪।

ରାମ ଅବତାରେ ପାଇଥିଲେ ବଡଦୁଖ

କହ୍ନା ଅବତାରେ ୟେବେ ପାଇବେ ନାହିଂକି ସୁଖ।୩୫।

ଆହୋ ପୃଥୀ ଦୁଖ ଦେଖି ଆମ୍ଭେ ଗଲାଇଂ କୃଷ୍ଣର ପାଶେ

କ୍ଷୀର ସମୋଦ୍ରେଣ ବିଷ୍ଣୁ ନିଦ୍ରାରେ ଅବଶେ।୩୬।

କ୍ଷୀର ସମୋଦ୍ର ମଧ୍ୟେ ନିର୍ମାଣ ୟେକ ପୁର

ଅନନ୍ତ କୋଳେ ଶୟନ କରିଛନ୍ତି ପୀତାମ୍ୱର।୩୭।

ତ୍ରିଦଶ ଦେବତା ସହ ଛାମୁରେଣ ମିଳି

ତୁସ୍ତି କରି ଆମ୍ଭେ ବୋଇଲୁ ରଖହୋ ବନମାଳୀ।୩୮।

ବିବୁଧାଦିଂକ ବଚନେ ହରି ହୋଇଲେ ପ୍ରସନ୍ନ

କିମ୍ପେ ଦେବଗଣ ତୁମ୍ଭେ କଲ ହୋ ଆଗମନ।୩୯।

ପୃଥୀଦେବୀ ଆକୁଳେ ଅଶ୍ରୁଜଳ ନେତ୍ରେ ଭରି

ବୋଇଲୁଂ ସକଳ ଦେବେ କୃତ ଆଞ୍ଜୋଳି କରି।୪୦।

ଅସୁରଂକ ପାଦଭାରା ପୃଥୀ ନୁଆରଇ ସହି

ଭୋ ଦେବ ବିଷ୍ଣୁନାଥ ତୋତେ ଅଇଲାଇଂ କହି।୪୧।

ହସି ପରମବିଷ୍ଣୁ କହିଲେ ପରମେଷ୍ଠିର ଆଗେ

ଦଶରଥ ଘରେ ଆମ୍ଭେ ଜନ୍ମିଲୁ ତ୍ରେତୟା ଯେ ଯୁଗେ।୪୨।

ରାମ ରୂପେ ଉପୁଜିଲୁଂ ସୀତ୍ୟା ହରାଇଣ ପାଇଲୁଂ ବହୁତ ଦୁଖ

ତେତ୍ରିଶ କୋଟି ଦେବେ ତାହା ଦେଖିଛତ ପ୍ରତକ୍ଷ।୪୩।

ଅସୁରଂକୁ ବର ଦେଇପାର ଧାତାତୁମ୍ଭେ

ଅଶକ୍ୟ ହୋଇଲେ ଯାଇଂ ସଂହାରିବୁ ଆମ୍ଭେ।୪୪।

ୟେହି ପରସ୍ତାପେ ତୁମ୍ଭେ ପାଳୁଥିବ ପୃଥୀ

ଯୋଗନିଦ୍ରା ସ୍ଥାନ ଆମ୍ଭେ ବସିଅଛୁଂ ୟେଥି।୪୫।

ପରମବିଷ୍ଣୁର ବଚନେ ଦେବେ କଲେ ଶଂକା

ପ୍ରଳମ୍ୱ କରି ଯାଇଂ ବୋଇଲେ ୟେକମୁଖା।୪୬।

ତୁ ଯେବେ ପୃଥୀକି ହୋ ନକରିବୁ କାରଣ

ପାତାଳେ ରାସାଂଗତ ହୋଇ ପଡ଼ିବ ୟେହିକ୍ଷଣ।୪୭।

ବିଷ୍ଣୁର ନିରାଶ ବଚନେ ପୃଥୀ ରୋଦନ ଯେ କଲା

ତାହାର ରୋଦନ୍ତେ ହରିହର ଦୟା ଯେ ବସିଲା।୪୮।

କିମ୍ପାଇଂ ରୋଦନ ଗୋ ଦେବୀ କରୁଅଛ ତୁମ୍ଭେ

ତୋହୋର ଦୁଖ ଦେଖିତ ନୁଅରିଲୁ ଆମ୍ଭେ।୪୯।

ବ୍ରହ୍ମାର ସମ୍ମୁଖେ ମୋତେ ଦୁଅନ୍ତି ବରଇଂ

ତୋହୋର ନିମନ୍ତେ ମଞ୍ଚେଣ ମୁଂ ଅବତରଇ।୫୦।

ମାଇଲଇଂ ବାରେ ବାରେ ଯେ ଦାନବ ସମସ୍ତ

ବାରେବାରେ ପଡ଼ଇ ମୋତେ ଦୁଖ ଯେ ବହୁତ।୫୧।

ୟେବେ ଦେବୀ ତୁମ୍ଭେ ନକର ମନେ ଚିନ୍ତା

ମୁହିଂ ସେ ଭାରାଭର ତୁମ୍ଭର ଚ୍ଛେଦନ୍ତା।୫୨।

ପୃଥୀକି ଆଶ୍ୱାସିଣ ସେ ଆମ୍ଭନ୍ତ ବୋଇଲା

ମୁହିଂ ଜନମି ସୁଖ ଭଞ୍ଜି କରିବଇଂ ଲୀଳା।୫୩।

ରାମ ରୂପରେ ମୁଂ ପାଇଲଇଂ ବହୁତ ଦୁଖ

ୟେବେ କେତେକ ଯେ ପାଇବଇଂ ସୁଖ।୫୪।

ୟେତେକ ବଚନ ବୋଲିଣ ପିଠିଆୟେ

ବସୁଦେବ ଘରେ ସେ ଜନମ ଯାଇଂ ହୋୟେ।୫୫।

ୟେସନେକ ସରୂପେ ଭୋଗ ଯେ ତାହାରି

କିମ୍ପାଇ ଆସିବେ ସେ ଦେବ ଗଦାଧାରୀ।୫୬।

ହେଳେଣ କଂସକଇଂ ସେ ସଂହାରି ଦେବହରି

ସମୁଦ୍ରକଇଂ ଭୂମି ମାଗି ଦ୍ୱାରିକା ପୁର କରି।୫୭।

ଷୋଳସହସ୍ର ନାୟିକା ଅମରୁ ଦିଲୁ ବାଛି

ପରଦାରା ରମଣ ତୁ କର ହୋ ଶିରୀବତ୍ସି।୫୮।

ୟେଥୁ ଅନନ୍ତରେ ଶୁଣ ତୁହୋ ଯତି

ବତିଶ ସହସ୍ର କନ୍ୟା ତୁଲେ ଦେବ ଶିରୀପତି।୫୯।

ଲକ୍ଷେ ରାଜଂକର ଯେବଣ ହିଂ ବିଭବ

ସେ ଭୋଗ ଭୁଞ୍ଜଇ ୟେବେ ଦେବ ବାସୁଦେବ।୬୦।

ବହୁତ ଯତି ଶ୍ରୀକୃଷ୍ଣଂକୁ ଦେଖିଯାନ୍ତି

ତାହାଂକ ତୃପ୍ତି ପାଇଂ ଦେବ ଧରିଛନ୍ତି ଅନେକ ମୂରତି।୬୧।

ପିତାମହ ବୋଇଲେ ଭୋ ଦୁର୍ଭାସା ତୁ ବହନ ହୋଇଯିବୁ

ଶ୍ରୀକୃଷ୍ଣେ ଯାଇଂ ସକଳ କଥା ଚିତୋଇବୁ।୬୨।

ୟେଥୁ ଅନନ୍ତରେ ଯେ ଦେବ ଶିରୀବତ୍ସି

କୁଟୁମ୍ୱର ସ୍ନେହେ ସେ ନିଶ୍ଚିତେ ରହିଛନ୍ତି।୬୩।

ଶୁଣ ହୋ ରାଜନ କେତେକ ସମୟେ

ଶାମ୍ୱକୁମରକଇଂ ରାଇ ଆଗ୍ୟାଂ ଦିଲେ ଦେବରାୟେ।୬୪।

ତୁ ବାବୁ ଦ୍ୱାରିକାୟେ ଥିବୁ ସତ୍ୟଭାମାର ଦ୍ୱାରେ

କାହକଇଂ ପଶିତେ ନଦେବୁଟି ଭିତରେ।୬୫।

ୟେକାନ୍ତରେ ଆମ୍ଭେ ଅବକାଶ ବଢ଼ାଇବୁ

ଆଗ୍ୟାଂ ମେଣ୍ଟିଲେ ଶାମ୍ୱ ତୁ ନିଶ୍ଚେ ଶାପ ଯେ ପାଇବୁ।୬୬।

ଆମ୍ଭେ ଯାଇଂ ବିଜେ କରୁଅଛୁ ରମ୍ୟ ସ୍ଥାନେ

ଯେପରି କେହି ନ ପଶି ପାରିବେଟି ଭିତର ଭୁବନେ।୬୭।

ୟେତେ ବୋଲି ଦେବ ସତ୍ୟଭାମାର ସଙ୍ଗତେ

ଶାମ୍ୱକୁମରକୁ ଦ୍ୱାରେ ଥୋଇ ରହିଲେ ନିଶ୍ଚିତେ।୬୮।

ପୁଣ ପିତାମହ ବଚନେ ଦୁର୍ଭାସ୍ୟାୟେ ୟେକ ଦିନେ ଆସି

ଶାମ୍ୱକୁମର ତାହାଂକୁ ଭିତରେ ନଦିଲାକ ପଶି।୬୯।

ନିଅବକାଶ ବାସୁଦେବ ଜନନୀଂକ ମେଳେ

ତୁମ୍ଭେ ଶ୍ରୀକୃଷ୍ଣଂକୁ କାହିଂ ଭେଟିବ ୟେତେବେଳେ।୭୦।

ସାମାନ୍ୟ କାର୍ଯ୍ୟ ହୋଇଲେ ବାହୁଡ଼ି ତୁମ୍ଭେ ଯାଅ

ଦେବକାର୍ଯ୍ୟ ହୋଇଲେ କ୍ଷଣେହେଂ ୟେଥି ରହ।୭୧।

ଦୁର୍ଭାସ୍ୟାୟେ ବୋଇଲେ ବଡ଼ାଇ ଆକଟରେ ବାବୁ

ୟେହିକ୍ଷଣି କୃଷ୍ଣଂକୁ ଆମ୍ଭେ ଦ୍ରଶନ କରିବୁ।୭୨।

ଶାମ୍ୱ ବୋଲନ୍ତି ମାତା ପିତା ୟେକ ଯୋଗେ ସ୍ଥାନେ

ମୁହିଂ ପୁତ୍ର ହୋଇ କେସନେକେ ପଶିବି ସଦନେ।୭୩।

ଦୁର୍ଭାସ୍ୟାୟେ ବୋଇଲେ ତୁମ୍ଭେ ବେଗ ହୋଇ ଯାଅସି

କୃଷ୍ଣଂକୁ ଜଣାଇ ବେଗେ ଆମ୍ଭଂକୁ ନିଅସି।୭୪।

ବୋଲଇ ଶାମ୍ୱକୁମର କୃତ ଆଞ୍ଜୋଳି ଯେ ହୋଇ

କେଉଂଣ ମତେ ଭିତରେ ମୁଂ ପଶିବଇଂ ଯାଇଂ।୭୫।

ୟେତେକ ବଚନ ଶୁଣି ମୁନି ଯେ କୋପିଲେ

ଶାମ୍ୱକଇଂ କଟାଳ କରିଣ ବହୁତ ବଚନ ବୋଇଲେ।୭୬।

ଅଥବା ତୁ ଯେବେ ନଯିବୁ ଭିତରେ

ୟେହିକ୍ଷଣି ଦ୍ୱାରିକା ସହିତେ ଭସ୍ମକରିବି ତୋହୋରେ।୭୭।

କୃଷ୍ଣକଇଂ ତୁ ଯାଇ ନଆଣିଲେ ଶାମ

ସାତବଂଶ ସହିତେ ଯାଦବ କରିବଇଂ ନିଧନ।୭୮।

ଭାଳଇ ଶାମ୍ୱକୁମର ମୁଂ କରିବଇଂ କେମନ୍ତ

ନିଅବକାଶେ ବିଜେ କରିଅଛନ୍ତି ତାତ ମାତ।୭୯।

ଉଭୟେ ସଂଭେଟ ଦେଖିଲେ ମହାଦୋଷ

ନଗଲେଣ ଭସ୍ମ ୟେ କରିବ ମୋହୋରେ ସାତବଂଶ।୮୦।

ପିତାର କୋପେ ମୁଂ ଯେ ଜଣେ ନାଶଯିବି

ମୁହିଂ ୟେକ ମଲେ ସିନା ସାତବଂଶ ଉଦ୍ଧରି ଧରିବି।୮୧।

ରୁଷିଂକି ଦ୍ୱାରେ ରୁହାଇଣ କୃଷ୍ଣସୁତ

ଭିତର ପୁରେ ଯାଇଂଣ ପଶିଲା ତୁରିତ।୮୨।

ଦେଖିଲା ମାତାପିତା ଯେ ବିବସନ କାଳେ

ଶ୍ରୀକୃଷ୍ଣସତ୍ୟଭାମା କ୍ରୀଡାରଙ୍ଗ ବେଳେ।୮୩।

ପୁତ୍ରକୁ ଦେଖି ଛଡ଼ା ଛଡ଼ି ହୋଇଲେକ ବେନି

ରସଭଙ୍ଗ ହୋଇଣ କୃଷ୍ଣର ତେଜେ ଉଠିଲା ବହନି।୮୪।

କୋପେଣ ପ୍ରଜ୍ଜ୍ୱଳିତ ଦେବ ଶ୍ରୀପୁରୁଷ ଉତ୍ତମ

ମମ ବଚନଭଗ୍ନ କରି କିମ୍ପେ ଅଇଲୁରେ ଶାମ।୮୫।

ମୋହୋର ଆଗ୍ୟାଂ ପୁତ୍ରରେ କଲୁ ଯେବେ ଭ୍ରଷ୍ଟ

ତୋହୋର ଶରୀରେ ଶାମ୍ୱ ହୋଉରେ ଗଳୁତ କୁଷ୍ଟ।୮୬।

ତତକ୍ଷଣେ କୁଷ୍ଠବ୍ୟାଧି ହୋଇଲା ବାହାର

ଧବଳ ବର୍ଣ୍ଣ ବିକାଶିଲା ଅଷ୍ଟାଙ୍ଗ ଶରୀର।୮୭।

ଶାମ୍ୱ ବୋଇଲା ଦେବ କିମ୍ପେ ଦିଲୁ ଶାପ

ସର୍ବଗ୍ୟଂ ପୁରୁଷ ହୋଇ ନବିଚାରି କଲୁ କୋପ।୮୮।

ୟେହିକ୍ଷଣି ଦ୍ୱାରେ ଆସି ପ୍ରବେଶ ଦୁର୍ଭାସ୍ୟା

ବୋଇଲେ କୃଷ୍ଣକଇଂ ଦେଖିବାରେ ବଡ଼ାଇ ମନୀଷା।୮୯।

ମୁହିଂ ବୋଇଲି ଦେବ ସମସ୍ତ ଚରିତ

ଶୁଣିଣ କୋପ ମତେ କଲେ ଭଗବନ୍ତ।୯୦।

ବୋଇଲେ ୟେହିକ୍ଷଣି କୃଷ୍ଣଂକୁ ନ ଦେଖିଲେ ନୟନେ

ପୁର ଦହନ କରିବିଟି ୟେବେ ଯାଅ ତୁ ବହନେ।୯୧।

ଯେବେ କୋପ ମୋତେ ଅନମିତେ କରୁ ସ୍ୱାମୀ

ଦୁର୍ଭାସ୍ୟାର ଚରଣେ ଯାଇଂ ହୁଅସି ପରିଣାମି।୯୨।

ଶାମ୍ୱ କଥା ଶୁଣି କୃଷ୍ଣ ଚଳିଲେ ବହନ

ଦୁର୍ଭାସ୍ୟା ମହର୍ଷିଂକ ଚରଣେ କଲେକ ପ୍ରଣାମ।୯୩।

କୃଷ୍ଣ ବୋଇଲେ ମୁନିହେ କହ କିମ୍ପା ଆଗମନ

ତୁମ୍ଭ ଯୋଗୁଂ ନାଶଗଲା ମୋହୋର ନନ୍ଦନ।୯୪।

ଦୁର୍ଭାସ୍ୟା ବୋଇଲେ ତୋତେ ଧାତାଂକର ଆଗ୍ୟାଂ ଅଛି

ମର୍ତ୍ତ୍ୟପୁର ତେଜି ଆକାଶକୁ ଆସ ହେ ଶ୍ରୀବତ୍ସି।୯୫।

ଶ୍ରୀକୃଷ୍ଣ ବୋଇଲେ ଯେବେ ଆଗ୍ୟାଂ ଦିଲେ ଦେବଧାତା

ଯାଉଅଛି ତେବେ ସ୍ୱର୍ଗକଇଂ ମୁହିଂ ସର୍ବଥା।୯୬।

ପୁଣ ଦୁର୍ଭାସ୍ୟାଂକୁ ଚାହିଂ କହନ୍ତି ଗୋବିନ୍ଦ

ତୁମ୍ଭଯୋଗୁଂ ପୁତ୍ରକୁ ପଡ଼ିଲା ପ୍ରମାଦ।୯୭।

ଦୁର୍ଭାସ୍ୟା ବୋଇଲେ ଆରେ ଶୁଣ ବାବୁ ଶାମ

ତପକର ଯାଇଂ ତୁହି ଭାସ୍କର ତୀର୍ଥ ଯା ନାମ।୯୮।

ଦୁର୍ଭାସ୍ୟାଂକ ବାଣୀ ଶୁଣି ଶାମ ତହୁଂ ଚଳିଗଲା

ଅର୍କତୀର୍ଥେ ପ୍ରବେଶିଣ ତପ ଆଚରିଲା।୯୯।

ମଉଦଧିରେ ସ୍ରାନ କରି ଚନ୍ଦ୍ରଭାଗାରେ ସ୍ରାନ

ବଟ ପ୍ରତିକ୍ଷଣ କରି କଲା କୋଣାର୍କ ଦ୍ରଶନ।୧୦୦।

ନିରାଶି ଉପବାସେ ବଟ କୋମଳ ପତ୍ର ଭକ୍ଷି

ଅନ୍ତରୀକ୍ଷ ହୋଇଗଲେ ଦୁର୍ଭାସ୍ୟା ମହଋଷି।୧୦୧।

ବ୍ରହ୍ମାର ଅଗ୍ରତେ ଯେ କହିଲେ ସମସ୍ତ

ଶୁଣିଣ ସାନନ୍ଦ ସେ ବ୍ରହ୍ମ ଦଇବତ।୧୦୨।

ପୁଣି ବ୍ରହ୍ମାର ଆଗରେ ସମସ୍ତ କହିଲେ ବୁଝାଇ

କିଛିଦିନ ଛାଡ଼ି ଆସିବେ ଯଦୁସାଇଂ।୧୦୩।

ୟେହା ଶୁଣି ପ୍ରଜାପତି ହୋଇଲେ ତ୍ରିପୁତି

ପୁଣି ଅଗସ୍ତିଂକୁ ପୁଚ୍ଛିଲେ ଯେ ମନୁ ନରପତି।୧୦୪।

ବୋଇଲେ ହୋ ମୁନି ଶାମ୍ୱକୁମର ତପକଇଂ ଗଲା

ଅର୍କତୀର୍ଥେ କେମନ୍ତେଣ ସେ ତପ ଆଚରିଲା।୧୦୫।

ଅଗସ୍ତି ବୋଲନ୍ତି ଜମ୍ଭୁଦ୍ୱୀପ ଅଗ୍ନିକୋଣେ

ଅର୍କ ଦତ୍ୟକଇଂ ନାଶିଲେ ବିରଞ୍ଚି ନାରାୟଣେ।୧୦୬।

ଦକ୍ଷିଣେ ମଉଦଧି ଉତ୍ତରେ ଚନ୍ଦ୍ରଭାଗା

କୋଟିୟେ ତୀର୍ଥ ଘେନି ତହିଂ ବିଜୟେ ଦେବୀ ଗଙ୍ଗା।୧୦୭।

ତହିଂ ସ୍ରାହାନ କରି ଯେ ଦେଖଇ ବିରଞ୍ଚି

ଶରୀର ନିକଳଂକ ତାହାର ଯେ ସଞ୍ଚି।୧୦୮।

ୟେସନେକ ତପ ଯେ କରଇ କୁମର

କେବଣ ଜଳ ପବନ କରଇ ଆହାର।୧୦୯।

ଦ୍ୱାଦଶ ବରଷ ତପ କଲାକ ୟେହୁ ବିଧି

ଶରୀର ନିକଳଂକ ତାହାର ଭଲ ହୋଇଲାକ ବ୍ୟାଧି।୧୧୦।

ବାହୁଡ଼ି ଦିଶଇ ମକର ଜାଣି ତାର କାୟେ

ଶରୀର ବିକାଶିଲା ନିର୍ଧୂମ ଅଗ୍ନି ପ୍ରାୟେ।୧୧୧।

ଭାସ୍କର ତୀର୍ଥେ ଯେ ରହିଅଛଇ ଶାମ

ଦୁର୍ଭାସ୍ୟାୟେ ତହିଂ ବିଜେ କଲେ ତୀର୍ଥଧର୍ମ।୧୧୨।

ଦେଖିଣ ଶାମ୍ୱକୁମର ଦୁର୍ଭାସ୍ୟା ଚରଣେ ପରିଣାମି

ସାଧୁ ୟେ ତୀର୍ଥର ମହିମାଂ କହିବା ମୋତେ ସ୍ୱାମୀ।୧୧୩।

ଦୁର୍ଭାସ୍ୟାୟେ ବୋଇଲେ ଶୁଣ ହୋ ହିରସୁତ

ଯହୁଂ ଆଦି ସ୍ରିଜନ ହୋଇଲା ୟେହୁ ତୀର୍ଥ।୧୧୪।

ଅନାଦି ଯୁଗାଦି ଚନ୍ଦ୍ରଭାଗା ଉଡ଼ପା

ୟେଥି ସେ ତପ ହାଦେ କରୁଥିଲା ସତ୍ୟପା।୧୧୫।

ଇନ୍ଦ୍ରକଇଂ ଅପ୍ରୀତି ହୋଇଲା ଜଳପତି

ସେ ପଦ ଘେନିମ ବୋଲି ବଳାଇଲା ବାଳମତି।୧୧୬।

ୟେହି ଚନ୍ଦ୍ରଭାଗା କୂଳେ କଲା ବସି ତପ

ନବଶତ ବରଷେ ସେ ନ ଦେଖିଲା ବିରଞ୍ଚି ସରୂପ।୧୧୭।

ମକର ଶୁକ୍ଳ ସପ୍ତମୀ କୃତ୍ତିକା ନକ୍ଷତ୍ର

ଅର୍କବାର ସେ ଦିନର ଅଟଇ ନିୟତ।୧୧୮।

ବାଣିଜ୍ୟ ନାମେ କରଣ ବ୍ରହ୍ମ ନାମେ ଯୋଗ

ଅର୍କଦତ୍ୟ ଭ୍ରମୁଥିଲା ଯାଇ ମଧ୍ୟସ୍ୱର୍ଗ।୧୧୯।

ତୀର୍ଥ ଭ୍ରମି ମିଳିଲା ସେ ମଉଦଧିର କୂଳେ

ବିଶ୍ରାମ କଲାକ ଆସି ସେ ଅର୍କବଟର ତଳେ।୧୨୦।

ଦେଖଇ ପୁରୁଷେକ ତହିଂ ବିଦ୍ୟାଧର ରୂପ

ମଉଦଧି ଚନ୍ଦ୍ରଭାଗାର ମଧ୍ୟେ କରଇ ସେ ତପ।୧୨୧।

ଭାଳଇ ଅର୍କଦତ୍ୟ ୟେ ଅଟଇ ମନୁ ମାଂସ

ୟେହା ଭୋଜନ କରିବି ମୁଂ ଅଛଇ ପଞ୍ଚଦିବସ ଉପବାସ।୧୨୨।

ୟେତେକ ବିଚାରି ସେ ବାହାର ବଟ ତଳୁ

ଧୀରେ ଚରଣ ତାର ଚାଳଇ ହେଳୁଂ ହେଳୁଂ।୧୨୩।

ପଛ କତିରେ ଆସି ମିଳିଲା ହୋଇଣ ଯେ ତୁନି

ଲୁହାର ଯଷ୍ଟି ୟେକ ହାତରେ ଅଛି ଘେନି।୧୨୪।

ସେ ଯଷ୍ଟି ଉଞ୍ଚାଇଅଛି ପିଟିବ ନେଇ ଶିରେ

ବିରଞ୍ଚି ନାରାୟଣ ଉଦେ ସାହେର ଭିତରେ।୧୨୫।

ଅସୁର ପ୍ରହାର ଯେ ଦେଖିଣ ଅରୁଣ

ସ୍ୱାମୀ ତପଧନୀ ଗୋଟିକି ୟେ ମାରିବ ୟେହିକ୍ଷଣ।୧୨୬।

ଦେଖିଣ ବିରଞ୍ଚି ନାରାୟଣ ରଥେ ଥାଇଂ

ଜାଣିଲେ ଆମ୍ଭଂକୁ ଧ୍ୟାନ ବସି ୟେ କରଇ।୧୨୭।

ଲକ୍ଷେକ ଯୋଜନ ଅଟଇ ତହିଂକି ଯେ ଦୂର

ରଥେ ଯାଇଂ ବାମ ଭୁଜ ବଢାଇଲେ କରତାର।୧୨୮।

ଲକ୍ଷେକ ଯୋଜନକଇଂ ସେ ଭୁଜ ବଢାଇ ନେଲେ

ଅର୍କ ଦଇତର କର ବିରଞ୍ଚି ନାରାୟଣ ଯେ ଧଇଲେ।୧୨୯।

ଆରେ ରହ ରହ ଡାକନ୍ତି ବିରଞ୍ଚି ନାରାୟଣ ଉଚ୍ଚ ସ୍ୱରେ ବୋଲି

ରାଗେ କମଳ ଲୋଚନ ପକାଇଲେ ପେଲି।୧୩୦।

ପଡ଼ିଲା ଦୁରନ୍ତକ ଉତ୍ତାନଶାହୀ ହୋଇ

କାଳଚକ୍ର ଧରି ଦେବ ରାଗେଣ ଉଞ୍ଚାଇ।୧୩୧।

ଅର୍କଦତ୍ୟ ବୋଲଇ ତୁ କେଉଂଣ ପୁରୁଷ

ମୋହୋରେ ବିବାଦୀ ହେଉ ତୋହୋରେ କିସ ଯଶ।୧୩୨।

ବଦୟନ୍ତି କରତାର ବିରଞ୍ଚି ନାରାୟଣ

ମୁହିଂ ସେହି କରତାରରେ ୟେ ତୀର୍ଥ ମୋର ଜାଣ।୧୩୩।

ଅର୍କଦତ୍ୟ ବୋଇଲା ମୁଂ ୟେ ତୀର୍ଥର ନୃପତି

ମୋହୋର ଆଧାର ୟେ ତପୋଧନ ଯତି।୧୩୪।

ଯଦ୍ୟପି କଲୁ ତୁରେ ୟେ ମହାତୀର୍ଥ ଠାବ

କିମ୍ପାଇ ଅନୀତିରେ କଲୁ ଦତ୍ୟ ୟେବ।୧୩୫।

ତୋତେ ନମାଇଲେ ୟେଥି କେ ତୀର୍ଥ କରଇ

କୋପେ କାଳଚକ୍ର ସ୍ୱାମୀ କଲେକ ପ୍ରହାରଇ।୧୩୬।

ଅର୍କଦତ୍ୟର ଦେହ ଜାଣିଣ ବଜ୍ରସେହ୍ନା

ପଡ଼ି କାଳଚକ୍ର ତହିଂ ହୋଇଲା ଶତେ ଚୂନା।୧୩୭।

ପୁଣି ସୂର୍ଯ୍ୟାବ୍ରତେକ ଚକ୍ର ଯେ ପ୍ରହାରି

ତେଣେ ହେଂ କାୟା ଯେ ଅତୁଟ ତାହାରି।୧୩୮।

ଶହସ୍ରେଣ ବଧ ଯେହୁଂ ନୋହିଲାକ ଦତ୍ୟ

ବକ୍ଷ ସ୍ଥଳେ ମାଡ଼ିବସିଲେ ଭାସ୍କର ଯେ ତୀର୍ଥ।୧୩୯।

କଳପ ବଟ ତଳେ ଚନ୍ଦ୍ରଭାଗା ମଉଦଧିର ତୀରେ

ଅର୍କଦତ୍ୟକଇଂ ମାଡ଼ିବସିଲେ ବକ୍ଷ ତଳେ।୧୪୦।

ପୃଥୀର ଅଗ୍ନିକୋଣେ ଯେହୁ ଅର୍କ ଦଇତକୁ ଧ୍ୱଂସି

ତେଣୁକରି କୋଣାର୍କ ନାମ ଦିଲେ ଅମର ସ୍ୱର୍ଗବାସୀ।୧୪୧।

ମକର ଶୁକଳ ପକ୍ଷ ଷଷ୍ଠୀ ଦିବସର ରାତି

ସେ ଦିନକର ଲେଉଟାଇଲେ ଦତ୍ୟପତି।୧୪୨।

ତିନି ଅବତାର ଯେ ଭାସ୍କର ମୂରତି

ଜାଗର ଜାଳି ଉଜାଗରେ ଜାଗଇ ଯେ ରାତି।୧୪୩।

ସପ୍ତମୀ ପ୍ରାତକାଳେ ମଉଦଧିରେ ସ୍ରାହାନ

ଚନ୍ଦ୍ରଭାଗାୟେ ସ୍ଥାନେ ଅର୍କବଟ ଯେ ଦ୍ରଶନ

ସେଠାରେ ମହାପାତକ ନାଶଯାଇ ବିଦ୍ୟମାନ।୧୪୪।

ଶ୍ରୀକୋଣାର୍କ ତୀର୍ଥ ନାମ ଯେଉଂଣ ତୀର୍ଥଗୋଟି

ୟେହାକଇଂ ସମାନ ନୁହଇ ତୀର୍ଥ କୋଟି।୧୪୫।

କୋଟିୟେ ଗୋଧନ ଦାନ କୋଟିୟେ ଅଶ୍ୱଗଜ

କୋଟିୟେକ କନ୍ୟା କୋଟିୟେ ରାଇଜ।୧୪୬।

କୋଟିୟେ ପର୍ବତ ସରି କରି ଦାନ ଦିଲେ ହୀରା

ତଥାପି ସମାନ ନୋହଇ ଅର୍କତୀର୍ଥ ଭାରା।୧୪୭।

ଜୟ ତୁ ଜୟ ଭାସ୍କର ଉଦୟେ ମାରତଣ୍ଡ

ଅର୍କ ବିଦାରଣ ଜ୍ୟୋତି ଅନନ୍ତ କୋଟି ବ୍ରହ୍ମାଣ୍ତ।୧୪୮।

ସଂଗ୍ୟାଂର ବଲ୍ଲଭ ଦେବ କୃତାନ୍ତକ ପିତା

ଦିନକର ଦୋଷକୃତ ହରନ୍ତା ବିହନ୍ତା।୧୪୯।

ସକଳ ଅନ୍ଧକାରକୁ ତୁହି ସେ ଦିବ୍ୟଚକ୍ଷୁ

ସମସ୍ତେ ଅନ୍ଧ ଦେବ ତୁହି ସେ ସର୍ବ ୟେକା ଦେଖୁ।୧୫୦।

ନମାମି ନାରାୟଣ କମଳ ଲୋଚନ

ଶନିଶ୍ଚରଂକର ପିତା ଅନ୍ଧକାର ବିଧ୍ୱଂସନ।୧୫୧।

ତିମିର ବିଦାରଣ ନବଦ୍ୱୀପ ତେଜ୍ୟା

ଦ୍ରଶନେ ପାପ ଧ୍ୱଂସନ ପ୍ରସନ୍ନେ ହୋଇ ରାଜା।୧୫୨।

ପ୍ରଳୟ ଉତ୍ତାରଣ ତୁ କଶ୍ୟପ ଗୋତ୍ରୀ

ଅରୁଣ ପ୍ରକାଶେ ଯାହାର ବିକାଶଇ ଜ୍ୟୋତି।୧୫୩।

ଶ୍ରୀକୋଣାରକ ତୀର୍ଥ ମଉଦଧିର ତଟେ

ମୁହିଂ ତାହା ଭାବିଲି ଭାସ୍କର କଲ୍ୟାଣ କଳ୍ପବଟେ।୧୫୪।

ଶ୍ରୀବିରଞ୍ଚି ନାରାୟଣଂକ ଚରଣେ ଶରଣ

ବଦୟନ୍ତି ସାରୋଳାଦାସ ମୋତେ କରସି ଉଦ୍ଧାରଣ।୧୫୫।୪୦୭।

******

ଶାନ୍ତି ପର୍ବ ସମାପ୍ତ